ରାଫେଲ୍ ଡିଲ୍ ପରେ ଅନୀଲ ଅମ୍ବାନୀଙ୍କ ଉପରେ ବାକି ପଡ଼ିଥିବା ୧୬୨ ମିଲିୟନ୍ ଡଲାର୍ ଟିକସ ଛାଡ଼ କରିଥିଲେ ଫରାସୀ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସ୍ସ୍ଥିତ ଟେଲିକମ୍ କମ୍ପାନି ‘ରିଲାଏନ୍ସ୍ ଆଟ୍ଲାଣ୍ଟିକ୍ ଫ୍ଲାଗ୍ ଫ୍ରାନ୍ସ୍’ ଉପରେ ଥିବା ୧୬୨. ୬ ମିଲିୟନ୍ ଡଲାରର ବକେୟା ଟିକସକୁ ଫରାସୀ କର୍ତ୍ତୃପକ୍ଷମାନେ ଛାଡ଼ କରିଥିବା କଥା ସେଠାକାର ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି। ଫ୍ରାନ୍ସ୍ ସହ ରାଫେଲ୍ ରାଜିନାମା ଘୋଷଣା କରିବାର ଅଳ୍ପ କେତେ ମାସ ପରେ ଅନୀଲ ଅମ୍ବାନୀଙ୍କ ବକେୟା ଟିକସ ଛାଡ଼ କରାଯାଇଥିବା କଥା ରିପୋର୍ଟରେ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଞ୍ଚଳିକ ଗଣମାଧ୍ୟମ ‘ଲି ମୋଣ୍ଡ୍’ ଖବର ଅନୁସାରେ ଅକ୍ଟୋବର ୨୦୧୫ରେ ଭାରତ ଓ ଫ୍ରାନ୍ସ୍ସ୍ଥିତ ଦାସଲଟ୍ ଏଭିଏସନ୍ ରାଫେଲ୍ ରାଜିନାମା ସଂକ୍ରାନ୍ତରେ ବୁଝାମଣା କରୁଥିବା ସମୟରେ ଟିକସ ବିବାଦ ତୁଟିଥିଲା। ଏହାର ଅଳ୍ପ କେତେ ମାସ ପୂର୍ବରୁ ଏପ୍ରିଲ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ସରକାରୀ ଗସ୍ତରେ ଫ୍ରାନ୍ସ୍କୁ ଯାଇଥିବା ସମୟରେ ଘୋଷଣା କରିଥିଲେ ଯେ ଫରାସୀ କମ୍ପାନି ଦାସଲଟ୍ ଠାରୁ ଭାରତ ୩୬ଟି ପୂର୍ଣ୍ଣ ନିର୍ମିତ ରାଫେଲ୍ ଲଢୁଆ ବିମାନ ଖରିଦ କରିବ।
୨୦୦୭ ରୁ ୨୦୧୦ ମଧ୍ୟରେ ୬୦ ମିଲିୟନ୍ ୟୁରୋ ଟିକସ ବାକି ପଡ଼ିଛି ବୋଲି ଅନୀଲ ଅମ୍ବାନୀଙ୍କ କମ୍ପାନୀରେ ଫରାସୀ ଟିକସ କର୍ତ୍ତୃପକ୍ଷମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ। ରିଲାଏନ୍ସ ଆଟଲାଣ୍ଟିକ୍ ଫ୍ଲାଗ୍ ଫ୍ରାନ୍ସ୍ ଟିକସ ବାବଦରେ ୭. ୬ ମିଲିୟନ୍ ୟୁରୋ ଦେବାକୁ କହିଥିଲା, କିନ୍ତୁ ଫରାସୀ କର୍ତ୍ତୃପକ୍ଷମାନେ ଏହାକୁ ଅଗ୍ରାହ୍ୟ କରିବା ସହ ଆଉ ଥରେ ଅନୁସନ୍ଧାନ କରିଥିଲେ ବୋଲି ରିପୋର୍ଟ କହୁଛି।
୨୦୧୦ ରୁ ୨୦୧୨ ସମୟ ଅବଧି ପାଇଁ ଫରାସୀ କର୍ତ୍ତୃପକ୍ଷମାନେ ପୁଣି ଏକ ଅନୁସନ୍ଧାନ କରି ଅନୀଲ ଅମ୍ବାନୀଙ୍କ କମ୍ପାନିକୁ ଆହୁରି ଅତିରିକ୍ତ ୯୧ ମିଲିୟନ୍ ୟୁରୋ ଟିକସ ଦେବାକୁ କହିଥିଲେ।
ଫ୍ରାନ୍ସ୍ସ୍ଥିତ ଦାସଲଟ୍ ସହ ରାଫେଲ୍ ରାଜିନାମା କଥା ଏପ୍ରିଲ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କଲେ। ପ୍ରଧାନମନ୍ତ୍ରୀ ଏ କଥା ଘୋଷଣା କରିବା ସମୟରେ ରିଲାଏନ୍ସ୍ ଉପରେ ଫ୍ରାନ୍ସ୍ର ଅନ୍ୟୂନ ୧୫୧ ମିଲିୟନ୍ ୟୁରୋ ଟିକସ ବାକି ପଡ଼ିଥିଲା।
କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦି ରାଫେଲ୍ ଘୋଷଣା କରିବାର ମାତ୍ର ଛଅ ମାସ ମଧ୍ୟରେ ଫରାସୀ ଟିକସ କର୍ତ୍ତୃପକ୍ଷମାନେ ଅମ୍ବାନୀଙ୍କ ଉପରୁ ୧୪୩. ୭ ମିଲିୟନ୍ ୟୁରୋ ଟିକସ ଛାଡ଼ କରି ମାତ୍ର ୭. ୩ ମିଲିୟନ୍ ୟୁରୋ ଗ୍ରହଣ କରିଥିଲେ।