ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହିତ ରହିଛୁ, ଫ୍ରାନ୍ସ ବିଦେଶମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ସହ ଫ୍ରାନ୍ସର ସାମରିକ  ସହଯୋଗୀତା ବେଶ ସୁଦ୍‌ଢ ବୋଲି କହିଛନ୍ତି ଫ୍ରାନ୍ସର ୟୁରୋପ ଓ ବିଦେଶ ବ୍ୟାପାର ମନ୍ତ୍ରୀ ମିଷ୍ଟର ଜାଁ ଭେସ ଲି ଦ୍ରିଆନ  । ମୋଦିଙ୍କ ସାକ୍ଷାତ କରିବା ପରେ ସେ କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଦୁଇଦେଶ ଏକତ୍ର କାମ କରୁଛନ୍ତି ।

 

ଏହି ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମ୍ପ୍ରତି ଫ୍ରାନ୍ସର ଷ୍ଟ୍ରାସବର୍ଗଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଆତଙ୍କବାଦ ବିରୋଧରେ ସଂଗ୍ରାମରେ ଭାରତ ସଦାବେଳେ ଫ୍ରାନ୍ସ ସହ ରହିଛି ବୋଲି ପ୍ରଧାନମନ୍ତ୍ରୀ ଫରାସୀ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ରାଷ୍ଟ୍ରପତି ମାକରୋଂଙ୍କ ଭାରତ ଗସ୍ତବେଳେ ତାଙ୍କ ସହ ହୋଇଥିବା ଘନିଷ୍ଠ ସାକ୍ଷାତ ଆଲୋଚନା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ମାର୍ଚ୍ଚ ୨୦୧୮ ରେ ରାଷ୍ଟ୍ରପତି ମାକରୋଂ ଭାରତ ଗସ୍ତରେ ଆସିଥିଲେ । ସେହିଭଳି ଆର୍ଜେଣ୍ଟିନାଠାରେ ସଦ୍ୟ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତାଙ୍କ ମଧରେ ହୋଇଥିବା ସାକ୍ଷାତ ଆଲୋଚନା ବିଷୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ ।

 

ମିଷ୍ଟର ଲି ଦ୍ରିଆନ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ନିକଟରେ ହୋଇଥିବା ଉନ୍ନତି ସଂପର୍କରେ ଅବଗତ କରାଇଥିଲେ । ସେହିଭଳି ଅନ୍ୟାନ୍ୟ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ସେ ଶ୍ରୀ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସବୁ ସ୍ତରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ଘଟିଥିବା ଉନ୍ନତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା ଓ ସ୍ୱାଗତ କରିଥିଲେ । ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା, ମହାକାଶ, ଆତଙ୍କବାଦ ନିରୋଧ, ସାମୁଦ୍ରିକ ନିରାପତ୍ତା, ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ଘନିଷ୍ଠ ସଂପର୍କ ବୃଦ୍ଧି ପାଇଛି । 

ସମ୍ବନ୍ଧିତ ଖବର