ଶିବସେନାକୁ ‘ଶେଷ’ କରିଦେବାକୁ ଆରମ୍ଭ ହୋଇଛି ନୂତନ ପ୍ରୟାସ: ଉଦ୍ଧବ

ମୁମ୍ବାଇ: ଅତୀତରେ ଶିବସେନାକୁ ବିଭାଜିତ କରିବାକୁ ଅନେକ ଉଦ୍ୟମ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଦଳକୁ ପୂରା ‘ଶେଷ’ କରିବାକୁ ଲକ୍ଷ୍ୟ ରଖି ଏକ ନୂଆ ପ୍ରୟାସ ଚାଲିଛି ବୋଲି ସେନା ମୁଖ୍ୟ ଉଦ୍ଧବ ଠାକରେ ବୁଧବାର ଅଭିଯୋଗ କରିଛନ୍ତି।

ମୁମ୍ବାଇରେ ଥିବା ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ସେନା ମୁଖ୍ୟ ଠାକରେ କହିଛନ୍ତି ଯେ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଠାକରେଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।

ମହାରାଷ୍ଟ୍ରରେ ସାମ୍ପ୍ରତିକ ରାଜନୈତିକ ସଙ୍କଟ ହେତୁ ଉପୁଜିଥିବା ସାମ୍ବିଧାନିକ ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱୀ ଠାକରେ ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ତାଙ୍କ ଦାଖଲକୁ ପୁନଃ ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ କହିଛନ୍ତି।

ଏହା ପୂର୍ବରୁ ଶିବସେନାକୁ ବିଭାଜିତ କରିବାକୁ ବହୁ ଉଦ୍ୟମ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଦଳକୁ ଶେଷ କରିବାକୁ ଉଦ୍ୟମ କରାଯାଉଛି ବୋଲି ଠାକରେ କହିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ଜେ ପି ନଡ୍ଡାଙ୍କ ମନ୍ତବ୍ୟ ଦେଇ କହିଥିଲେ ଯେ ଆଗାମୀ ସମୟରେ କେବଳ ବିଜେପି ପରି ଏକ ଆଦର୍ଶ ଚାଳିତ ଦଳ ବଞ୍ଚିବ, ଯେତେବେଳେ କି ପରିବାର ଦ୍ୱାରା ଶାସିତ ଅନ୍ୟ (ଦଳ)ମାନେ ନଷ୍ଟ ହୋଇଯିବେ। ନଡ୍ଡାଙ୍କ ଏହି ମନ୍ତବ୍ୟ ପରେ ଏପରି ଅଭିଯୋଗ କରିଛନ୍ତି ସେନା ମୁଖ୍ୟ ଉଦ୍ଧବ ଠାକରେ।

ଠାକରେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ରବିବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଇଥିବା ଚଢ଼ାଉ ଦଳକୁ ଶେଷ କରିବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ ଅଂଶ। ତେବେ, ୧୯୬୬ରେ ବାଲ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ଅତୀତରେ ଅନେକ ଧକ୍କାକୁ ସାମନା କରିଛି ଓ ଅନେକ ନେତାଙ୍କ ପ୍ରସ୍ଥାନ ଦେଖଛି।

ସମ୍ବନ୍ଧିତ ଖବର