ମାର୍ଚ୍ଚ ୨୦ରେ ଫାଶୀ ପାଇବେ ନିର୍ଭୟା ଦୋଷୀ, ନୂଆ ମୃତ୍ୟୁ ପରଓ୍ଵାନା ଜାରି କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ପାଇଁ ଆଉ ଥରେ ଡେଥ ଓ୍ଵାରେଣ୍ଟ ବା ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ଏକ କୋର୍ଟ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି । ସେମାନଙ୍କୁ ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯିବ।  ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଥିବାରୁ ଟ୍ରାଏଲ କୋର୍ଟ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଜାରି କରିଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୩ରେ ଦୋଷୀମାନେ ଫାଶୀ ପାଇବାକୁ ଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତି ଗତକାଲି ପବନର କ୍ଷମା ଆବେଦନକୁ ଖାରଜ କରିଥିଲେ। ଫଳରେ ନିର୍ଭୟା ମାମଲାର ୪ ଦୋଷୀଙ୍କ ସବୁ ବିକଳ୍ପ ଶେଷ ହୋଇଥିଲା । ସୁପ୍ରିମ୍‌ କୋର୍ଟ ପବନର କ୍ୟୁରେଟିଭ ପିଟିସନ୍‌କୁ ଖାରଜ କରିବାର ମାତ୍ର କେଇ ଘଣ୍ଟା ପରେ ପବନ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ଏଥିପାଇଁ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ତାରିଖ ଘୁଞ୍ଚିଥିଲା। ଏହା ପୂର୍ବରୁ ନିର୍ଭୟା ମାମଲାର ଅନ୍ୟ‌ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହୋଇଥିଲା।

ନିର୍ଭୟା ମାମଲାର ଘଟଣାକ୍ରମ:

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ  ଦିଲ୍ଲୀରେ  ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା। ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ପୀଡ଼ିତାଙ୍କୁ  ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ୨୦୧୮ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ । ପରେ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦୋଷୀମାନଙ୍କ ରାଜକ୍ଷମା ଆବେଦନ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର