ପୁଣେ: ନିଆଁ ଲିଭାଯିବା ପରେ ପୁଣି ଥରେ ସେରମ୍ ଇନଷ୍ଟିଚ୍ୟୁଟର କୋଠାରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିଥିବା କୋଠାର ଗୋଟେ ଭାଗରେ ପୁଣି ଥରେ ନିଆଁ ଲାଗିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ଲାଗିଥିବା ନିଆଁ ୫ଜଣଙ୍କ ଜୀବନ ନେଇଥିବା ବେଳେ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ମୃତଦେହ ଉଦ୍ଧାର ପରେ ଶୀତଳୀକରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ପୁଣି ଥରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ଏ ନେଇ ଖବର ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପୁଣି ଥରେ ନିଆଁ ଲିଭାଇବା କାମ ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ନିଆଁକୁ ଆୟତ୍ତ କରିବା ପରେ ଅଗ୍ନିକାଣ୍ଡସ୍ଥଳୀରୁ ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଥିଲେ ପୁଣେର ମେୟର ମୁରଲୀଧର ମୋହର। ପ୍ରଥମେ ଭିତରେ କେହି ଫସି ନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ଖବର ମିଳିଥିଲା ଓ ଉଦ୍ଧାର କାର୍ଯ୍ୟ ବେଳେ ୫ ଜଣ ମୃତ୍ୟୁମୁଖରେ ପଡ଼ିଥିବା ସାମ୍ନାକୁ ଆସିଥିଲା। ତେବେ କରୋନା ଟିକା କୋଭିସିଲ୍ଡ ଗଚ୍ଛିତ ରଖାଯାଇଥିବା କୋଠାଟି ନିଆଁ ଲାଗିଥିବା କୋଠା ପାଖରେ ଥିଲେ ମଧ୍ୟ ଟିକା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି।