ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର : ଆରବ ସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ବାତ୍ୟା ତୌତେ ଭାରତର ପଶ୍ଚିମ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ପୂର୍ବ ପଟେ ଥିବା ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଦେଲାଣି । ଖୋଦ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏ ସମ୍ପର୍କରେ ପୂର୍ବାନୁମାନ ଜାରି କରିଛି ।

ଆଇଏମଡିର ଏକ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆସନ୍ତା ୨୩ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ସୃଷ୍ଟି ହେବା ସମ୍ପର୍କରେ ଏବେ ପ୍ରାରମ୍ଭିକ ଆକଳନ କରାଯ଼ାଉଥିବାବେଳେ ଆଗାମୀ ଦୁଇ ତିନିଦିନରେ ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ଏହି ଲଘୁଚାପ ସୃଷ୍ଟି ହେଲେ ଏହା ପୂର୍ବ ଉପକୂଳରେ ଚଳିତ ବର୍ଷର ପ୍ରଥମ ଲଘୁଚାପ ହେବ ।

୨୩ ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯ଼ିବାକୁ ସତର୍କତା ଜାରି କରାଯ଼ାଇଛି ।

ସୂଚନାଯ଼ୋଗ୍ୟ ଯ଼େ, ଗତକାଲି ଗୁଜୁରାଟ ଉପକୂଳରେ ଲାଣ୍ଡଫଲ କରିଥିବା ସାମୁଦ୍ରିକ ବାତ୍ୟା ତୌତେ ଗୁଜୁରାଟ ସମେତ ମହାରାଷ୍ଟ୍ର, ଲକ୍ଷଦ୍ବୀପ ଓ ରାଜସ୍ଥାନର କେତେକ ଅଂଚଳରେ ବ୍ୟପକ କ୍ଷୟକ୍ଷତି ଘଟାଇଛି ।

ସମ୍ବନ୍ଧିତ ଖବର