ଭୁବନେଶ୍ବର : ସାରା ରାଜ୍ୟରେ ପାର୍ବଣର ଆନନ୍ଦରେ ଭଟ୍ଟା ପକାଇପାରେ ବର୍ଷା । କାରଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ବର୍ଷ।ର ସମ୍ଭାବନା ରହିଛି । ଏହା ଫଳରେ ଦଶହରା ଉତ୍ସାହରେ ଭଟ୍ଟା ଆସିବାର ଆଶଙ୍କା ରହିଛି ।
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଅନୁସାରେ ଅକ୍ଟୋବର ୩ରେ ଏହି ଲଘୁଚାପ ସପୂର୍ଣ୍ଣଭାବେ ସମୁଦ୍ର ଉପରେ ଥିଲା । କିନ୍ତୁ ଆସନ୍ତା କାଲି ଅର୍ଥାତ ୪ରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ । ଏହାର ପ୍ରଭାବର ଦକ୍ଷିଣ,ଉପକୂଳ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶରେ ବର୍ଷା ହେବ । ପରବର୍ତ୍ତୀ ୨ ଦିନରେ ଏହା ଉତ୍ତର-ପଶ୍ଚିମଦିଗରେ ଗତି କରି ଉତ୍ତର-ମଧ୍ୟପ୍ରଦେଶ ଓ ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶରେ ପହଞ୍ଚିବ ।
ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବରୁ ଗତ ତିନି ଦିନ ହେଲା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ଫଳରେ ଗତ ତିନିଦିନ ହେଲା ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା । କିନ୍ତୁ ଏବେ ଏହା ଲଘୁଚାପରେ ପରିଣତ ହେବା ପରେ ରାଜ୍ୟରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ, ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ମଧ୍ୟ ପଶ୍ଚିମବଙ୍ଗରେ ବର୍ଷା କରାଇବ ବୋଲି ଜଣାପଡ଼ିଛି ।