ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରତିରକ୍ଷା ମନ୍ତ୍ରାଳୟ ଜାରି କଲା ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ୨୦୧୬ ସେପ୍‌ଟେମ୍ବର ୨୯ ତାରିଖରେ ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌ ଧ୍ୱଂସ ଲାଗି କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ୨ବର୍ଷ ପୂରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡିଓ ଜାରି କରାଯାଇଛି। ଏହି ନୂତନ ଭିଡିଓରେ ଭାରତୀୟ ସେନାର ଗୁପ୍ତ ଅପରେସନ୍‌ ଚିତ୍ର ସ୍ପଷ୍ଟ ଭାବେ ଦେଖା ଯାଉଛି। ଏହି ସର୍ଜିକାଲ ଷ୍ଟ୍ରାଇକର ଏକ ବିଶେଷତ୍ୱ ହେଲା, ପାକ ସୀମା ଭିତରକୁ ପ୍ରବେଶ କରି ଭାରତୀୟ ସେନା ବହୁ ସଂଖ୍ୟକ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌ ଧ୍ୱଂସ କରିଥିଲା। ଏହି ଅପରେସନ୍‌ ସମୟରେ ଜଣେ  ବି ଯବାନ ଆହତ ହୋଇ ନ ଥିଲେ।

୨୦୧୬ ସେପ୍‌ଟେମ୍ବର ୨୯ରେ ଭାରତୀୟ ସ୍ଥଳସେନାର ପାରା ସ୍ପେଶିଆଲ ଫୋର୍ସର କମାଣ୍ଡୋମାନେ ମଧ୍ୟରାତ୍ରୀରେ ଭାରତ ପାକ୍‌ ସୀମାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶକରି ଆତଙ୍କବାଦୀଙ୍କର ୪ଟି ଆଡ୍ଡାକୁ ଧ୍ବଂସ କରିଥିଲେ। କଶ୍ମୀରର ଉରୀଠାରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପରେ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ କି ଏଥି ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ସର୍ଜିକାଲ ଷ୍ଟ୍ରାଇକର ଏକ ଭିଡିଓ ଜାରି କରିଥିଲା। ଏହି ଅପରେସନ୍‌ର ଦୁଇ ବର୍ଷ ପୂର୍ତ୍ତିର ଅବ୍ୟବହିତ ପୂର୍ବରୁ ଦ୍ୱିତୀୟ ଭିଡିଓ ଜାରି କରିଛନ୍ତି ସରକାର। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକର ପୂର୍ତ୍ତି ପାଳନ କରିବାକୁ ଶିକ୍ଷାନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର