ନୂଆଦିଲ୍ଲୀ: ଏବେ ଦୁର୍ଘଟଣାଗ୍ରସ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ। ସେ ରୁର୍କୀରେ ଥିବା ତାଙ୍କ ଘରକୁ କାର୍ ଚଳାଇ ଯାଉଥିବା ବେଳେ ଡିଭାଇଡରରେ ତାଙ୍କ ଗାଡ଼ି ଧକ୍କା ଖାଇ ଜଳିଯାଇଥିଲା। ଏହି ଦୁର୍ଘଟଣାର ଶିକାର ହୋଇ ସେ ଗୁରୁତର ଥିବା ବେଳେ ଦୁର୍ଘଟଣା ପୂର୍ବର କିଛି କଥା ଏବେ ସାମ୍ନାକୁ ଆସିଛି।
“ଏହା ଜାଣିବାକୁ ମିଳିଛି ଯେ ସେ ଡେରାଡୁନ୍ ଯିବା ପୂର୍ବରୁ ପନ୍ତଙ୍କ ଜଣେ ବନ୍ଧୁ ତାଙ୍କୁ ଏକୁଟିଆ ଗାଡି ନଚଳାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପନ୍ତ ନିଜେ ଗାଡ଼ି ଚଳାଇ ଯାଇପାରିବେ ବୋଲି କହି ରୁର୍କୀ ଅଭିମୁଖେ ବାହାରିଥିଲେ। ଶୁକ୍ରବାର ଭୋର ସମୟରେ ହରିଦ୍ୱାର ଜିଲ୍ଲାର ମଙ୍ଗଲୌର ଏବଂ ନରସନ ମଧ୍ୟରେ ପନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏବେ ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଗକୁ ତାଙ୍କୁ ଦିଲ୍ଲୀ ବା ମୁମ୍ବାଇକୁ ଏୟାରଲିପ୍ଟ କରାଯାଇପାରେ ବୋଲି ଜଣାପଡ଼ିଛି।
ପନ୍ତଙ୍କ କୋଚ୍ ଦେବେନ୍ଦ୍ର ଶର୍ମା କ୍ରିକବଜ୍ଙ୍କୁ କହିଛନ୍ତି ଯେ ପରିବାରକୁ ପନ୍ତଙ୍କ ଅବସ୍ଥା ବିଷୟରେ ଅବଗତ କରାଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତାଙ୍କୁ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ। ତାଙ୍କ ଆଣ୍ଠୁରେ ହୋଇଥିବା ଲିଗାମେଣ୍ଟ ଆଘାତ ପାଇଁ ଚିକିତ୍ସା ଆବଶ୍ୟକ ଥିବା ବେଳେ ବିସିସିଆଇ ଡେରାଡୁନରେ ଥିବା ମ୍ୟାକ୍ସ ହସ୍ପିଟାଲକୁ ତୁରନ୍ତ ଏହାକୁ ନକରିବାକୁ ପରାମର୍ଶ ଦେଇଛି। ତାଙ୍କୁ ଶୀଘ୍ର ଦିଲ୍ଲୀ କିମ୍ବା ମୁମ୍ବାଇକୁ ପଠାଯିବ ଯେଉଁଠାରେ ପରବର୍ତ୍ତୀ ଚିକିତ୍ସା ପ୍ରକ୍ରିୟା ସ୍ଥିର ହେବ।