ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସହିତ ଆଉ କୌଣସି ମେଣ୍ଟ ହେବନାହିଁ। ଶିବସେନା ନିଜ ଦମ୍ରେ ହିଁ ନିର୍ବାଚନ ଲଢ଼ିବ। ଆଜି ଏଭଳି ଘୋଷଣା କରିଛି ଶିବସେନା। ବାଧ୍ୟବାଧକତାରେ ଯେଉଁ କିଛି ଦିନ ବିଜେପିର ହାତ ଧରିଥିଲା, ତାହା ଆଉ ଆଗକୁ ରହିବନି ବୋଲି ଦଳ ଦୃଢ଼ ନିଷ୍ପତ୍ତି ନେଇଛି। ଦଳ ପୂର୍ବ ପରି ହିନ୍ଦୁତ୍ୱ ପ୍ରସଙ୍ଗକୁ ଆଧାର କରି ଲୋକଙ୍କ ସମର୍ଥନ ହାସଲ କରିବ ବୋଲି ଆଶାବାଦୀ ରହିଛି। ଅପରପକ୍ଷେ, ସେମାନେ ଏମିତି ବହୁତ କଥା କହନ୍ତି। ତେବେ ଆଗକୁ ପରିସ୍ଥିତି କ’ଣ ହେଉଛି ଦେଖିବାକୁ ପଡ଼ିବ ବୋଲି ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଟ୍ଵିଟ୍ କରି ପରୋକ୍ଷରେ ଶିବସେନାର ଆଭିମୁଖ୍ୟକୁ ଗୁରୁତ୍ୱହୀନ ମନେକରିଛନ୍ତି।
ମହାରାଷ୍ଟ୍ରର ଓ୍ଵର୍ଲିଠାରେ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲ୍ ଥାକ୍ରେଙ୍କ ଜୟନ୍ତୀ ପାଳନ ଅବସରରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ବସିଥିଲା। ସେଥିରେ ଦଳ ବିଜେପିର ହାତ ଛାଡ଼ି ଏକ୍ଲା ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିବା କଥା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପରେ ଘୋଷଣା କରିଥିଲେ। ବିଗତ କିଛି ଦିନ ହେଲା ବିଭିନ୍ନ ପ୍ରସଙ୍ଗରେ ସହଯୋଗୀ ବିଜେପି ସହ ଶିବସେନାର ସମ୍ପର୍କ ତିକ୍ତ ହୋଇଚାଲିଥିବା ପରିପ୍ରେକ୍ଷୀରେ ଦଳ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଗତ ତିନି ବର୍ଷ ହେଲା ଦଳ ପରିସ୍ଥିତିରେ ପଡ଼ି ବିଜେପିର ସହଯୋଗୀ ସାଜିଥିଲା। ତେବେ ଏହାଦ୍ୱାରା ଦଳ ନିଜ ଆଦର୍ଶ ସହ ସାଲିସ କରି ବଡ଼ ଭୁଲ୍ କରିଛି। ତେଣୁ ଆଉ ସେ ଗଠବନ୍ଧନ ହେବନାହିଁ ବୋଲି ସଞ୍ଜୟ ଦେଇଥିବା ପ୍ରସ୍ତାବକୁ ଦଳର ଜାତୀୟ କାର୍ଯ୍ୟକାରିଣୀ ସମର୍ଥନ କରିଥିଲେ।
ସେହିପରି ଆଜି ଦଳର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବା ଉଦ୍ଧବ ଥାକ୍ରେ ଆଗାମୀ ଦିନରେ ତାଙ୍କ ଦଳ ରାଜ୍ୟ ବାହାରେ ମଧ୍ୟ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି। ହିନ୍ଦୁ ଭୋଟରେ ବିଭାଜନ ନଆଣିବା ପାଇଁ ତାଙ୍କ ଦଳ ଆଗରୁ କେବଳ ନିଜ ରାଜ୍ୟରେ ସୀମିତ ଥିବା ବେଳେ ଏଣିକି ଫଳାଫଳକୁ ଅପେକ୍ଷା ନକରି ଶିବସେନା ଅନ୍ୟ ରାଜ୍ୟରେ ମଧ୍ୟ ହିନ୍ଦୁତ୍ୱ ପ୍ରସଙ୍ଗକୁ ପାଥେୟ କରି ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି। ଅପରପକ୍ଷେ, ବିଜେପି ଠାରୁ ଏପରି ଦୂରେଇଯିବାକୁ ଶପଥ ନେଇଥିବା ଶିବସେନା ଫଡ଼ନାଭିସ୍ ସରକାରଙ୍କଠାରୁ ତଥାପି ସମର୍ଥନ ପ୍ରତ୍ୟାହାର କରିନଥିବାରୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି।
ବିଜେପି ସହ ବନ୍ଧୁତା ଶେଷ:୨୦୧୯ ନିର୍ବାଚନ ଏକାକୀ ଲଢ଼ିବ ଶିବସେନା
ସେମାନେ ବହୁତ କହନ୍ତି, ଅପେକ୍ଷା କର: ଫଡ଼ନାଭିସ୍
/sambad/media/post_attachments/wp-content/uploads/2018/01/shibsena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)