ନୂଆଦିଲ୍ଲୀ: କଂଗ୍ରେସର ସବୁ ଋତୁର ନେତା ତରୁଣ ଗୋଗୋଇଙ୍କର ପରଲୋକ ଆସାମ କଂଗ୍ରେସ ପାଇଁ ଏକ ବହୁତ ବଡ଼ କ୍ଷତି। ଗୋଗଇଙ୍କ ରାଜନୈତିକ ଉତ୍‌ଥାନ ହୋଇଥିଲା ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ସମୟରେ। ମନମୋହନ ସିଂହଙ୍କ ସମୟରେ ବିଜେପିର ଉତ୍‌ଥାନ ହେବ ବୋଲି ଗୋଗୋଇ ପୂର୍ବାନୁମାନ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଘଟିଥିଲା। ଇନ୍ଦିରା ଲହରୀ ଭିତରେ ୧୯୭୧ରେ ଗୋଗୋଇ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆସାମରୁ ଦିଲ୍ଲୀ ଥିଲା ତାଙ୍କର ଏକ ପ୍ରଭାବଶାଳୀ ରାଜନୈତିକ ଯାତ୍ରା। ଏହାପରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଥିଲେ। ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ ସେ ୧୯୮୫ରୁ ୧୯୯୦ କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ। ପି ଭି ନରସିଂହ ରାଓଙ୍କ ସମୟରେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ବିଧାନସଭା ନିର୍ବାଚନରେ ଲଗାତାର ତିନି ଥର କଂଗ୍ରେସକୁ ସେ ଜିତାଇଥିଲେ। ସବୁଠାରୁ ଲମ୍ବା ଯାତ୍ରା ଥିଲା ଆସାମର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିବା। ୨୦୦୧ରୁ ୨୦୧୬ ପର୍ଯ୍ୟନ୍ତ ସେ ଆସାମର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ସୁଚାରୁ ରୂପେ ନିଜର ଦାୟିତ୍ବ ତୁଲାଇଥିଲେ। ଗୋଗୋଇ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ରୁ ୧୯୮୫ ପର୍ଯ୍ୟନ୍ତ ୩ ଥର ଜୋରହାଟ ଲୋକସଭା ଆସନ ଏବଂ ୧୯୯୧-୯୬ ଓ ୧୯୯୮-୨୦୦୨ କାଲିବୋରରୁ ସାଂସଦ ଥିଲେ। ସମ୍ପ୍ରତି କାଲିବୋର ଲୋକସଭା ଆସନରେ ତାଙ୍କ ପୁଅ ଗୌରବ ଗୋଗୋଇ ସାଂସଦ ଅଛନ୍ତି।

Advertisment

୧୯୩୬ ମସିହାରେ ଆସାମର ଜୋରହାଟ ଜିଲ୍ଲା ରଙ୍ଗାଜନ ଚା’ ବଗିଚାରେ ଗୋଗୋଇ ଜନ୍ମଗ୍ରହଣ କରିଥିଲେ। ପିତା ଡା. କମଳେଶ୍ବର ଡାକ୍ତର ଥିବାବେଳେ ମାତା ଊଷା ଦେବୀ କବୟିତ୍ରୀ ଥିଲେ। ପିଲାଦିନ ଚା ବଗିଚାରେ କଟିଥିଲେ ହେଁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ଥିଲା। ୧୯୬୮ ସେ ପ୍ରଥମ ଥର ଜୋରହାଟ ମ୍ୟୁନିସିପାଲଟି ବୋର୍ଡର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଗୋଗୋଇଙ୍କ ଉଦ୍ୟମରେ ଆସାମରେ ଉଗ୍ରବାଦ ସମସ୍ୟାର ସମାଧାନ ହୋଇପାରିଥିଲା। କଂଗ୍ରେସ ହାଇକମାଣ୍ଡଙ୍କ ସହ ଉତ୍ତମ ସମ୍ପର୍କ ଥିଲା ଗୋଗୋଇଙ୍କର। ହେମନ୍ତ ବିଶ୍ବାଶର୍ମା ଏବଂ ଗୋଗୋଇଙ୍କ ମଧ୍ୟରୁ କଂଗ୍ରେସର ଶୀର୍ଷ ନେତୃତ୍ବ ଗୋଗୋଇଙ୍କୁ ଅଧିକ ମହତ୍ତ୍ବ ଦେଉଥିବାରୁ ହେମନ୍ତ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମୋଦୀ ଲହରୀ ଭିତରେ ଆସାମ କଂଗ୍ରେସର ହାତଛଡ଼ା ହୋଇଗଲା। ଲୋକପ୍ରିୟ ଜନନେତା ଗୋଗୋଇଙ୍କର ସୋମବାର ୮୪ ବର୍ଷ ବୟସରେ ପରଲୋକ ହୋଇଛି।