କୋଲ୍କାତା: ଗର୍ବା (ଦାଣ୍ଡିଆ) ନୃତ୍ୟ କରି ଢାକ୍ (ବଡ଼ ଢୋଲ) ବଜାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଉଚ୍ଛ୍ବାସରେ କୋଲ୍କାତାର ବିଭିନ୍ନ ଦୁର୍ଗାପୂଜା ପେଣ୍ଡାଲ୍ ଉଦ୍ଘାଟନ କରୁଛନ୍ତି।
ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ସେଭଳି କେତେକ ଭିଡିଓରୁ ଗୋଟିକରେ ବୁଧବାର ଦିନ ସେ ଭବାନୀପୁରରେ ଦାଣ୍ଡିଆ ନୃତ୍ୟ କରି ‘ତୃଣମୂଳ କଂଗ୍ରେସ’ର କାଉନ୍ସିଲର୍ ଅସୀମ ବୋଷଙ୍କ ଦୁର୍ଗାପୂଜା ପେଣ୍ଡାଲ୍ ଉନ୍ମୋଚନ କରୁଛନ୍ତି।
ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲିପୁରରେ ସୁରୁଚି ସଂଘ ପୂଜା ପେଣ୍ଡାଲ୍ ଉଦ୍ଘାଟନ କରିବା ଅବସରରେ ‘ଢାକ୍’ ବଜାଇ ଥିଲେ। ତାଙ୍କ ସାଥିରେ ଯାଇଥିଲେ କ୍ୟାବିନେଟ୍ ସହଯୋଗୀ ଫରିଦ୍ ହକିମ୍ ଓ ଅରୂପ ବିଶ୍ବାସ। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି, ରିବନ୍ ଫିତା କାଟିବା ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କାନ୍ଧରେ ପକାଇଥିବା ‘ଢାକ୍’ ବଜାଇ ବଜାଇ ପେଣ୍ଡାଲ୍ ଆଡ଼କୁ ଯାଉଛନ୍ତି। ଫରିଦ୍ ହକିମ୍ ବି ତାଙ୍କ ସହିତ ମିଶି ‘ଢାକ୍’ ବଜାଇଥିଲେ।
ସୂଚନାଯୋଗ୍ୟ, ‘ଉତ୍ସବେର୍ ଗାନ୍’ (ଉତ୍ସବ ଗୀତ) ଶୀର୍ଷକ ସ୍ବତନ୍ତ୍ର ଗୀତ ଆଲ୍ବମ୍ରେ ପ୍ରଥମ ଥର ପାଇଁ ଗୀତ ଗାଇ ମହାଳୟା ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲ୍କାତାରେ ଦୁର୍ଗାପୂଜା ଉତ୍ସବ ଆରମ୍ଭ କରିଥିଲେ। ସେଥିରେ ଥିବା ‘ଢାକ୍ ଦୁମାଦୁମ୍’ ଗୀତଟିକୁ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ସହ ଗାଇଛନ୍ତି ଗାୟକ ପାଲଟି ଥିବା ରାଜନେତା ଇନ୍ଦ୍ରନୀଳ ସେନ ଓ ଅଦିତି ମୁନ୍ଷୀ।
/sambad/media/post_attachments/wp-content/uploads/2022/09/wb1.jpg)
ଅକ୍ଟୋବର ୧ ତାରିଖ ଷଷ୍ଠୀ ଦିନରୁ ଚଳିତ ବର୍ଷର ଦୁର୍ଗାପୂଜା ଆରମ୍ଭ ହେଉଥିବା ବେଳେ ‘ୟୁନେସ୍କୋ’ ମାନ୍ୟତା ପାଇଥିବାରୁ ସେପ୍ଟେମ୍ବର ୨୨ରୁ ବାନାର୍ଜୀ ପୂଜା ପେଣ୍ଡାଲ୍ ଉଦ୍ଘାଟନ ଆରମ୍ଭ କରିଦେଇଛନ୍ତି।
ସେହିପରି, ରବିବାର ଦିନ ମୁଖ୍ୟମନ୍ତ୍ରୀ ବାନାର୍ଜୀ ‘ଚେତ୍ଲା ଅଗ୍ରଗାମୀ’ରେ ଦୁର୍ଗାପୂଜା ପେଣ୍ଡାଲ୍ ଉଦ୍ଘାଟନ କରି କହିଲେ, ଚଳିତ ବର୍ଷର ଦୁର୍ଗାପୂଜାର ଦୁଇଟି ମହାତ୍ମ୍ୟ ରହିଛି। ଗୋଟିଏ ହେଉଛି, କୋଲ୍କାତାର ଦୁର୍ଗାପୂଜାକୁ ‘ୟୁନେସ୍କୋ’ ‘ଇଣ୍ଟାଞ୍ଜିବଲ୍ କଲ୍ଚୁରାଲ୍ ହେରିଟେଜ୍’ ମାନ୍ୟତା ପ୍ରଦାନ ଓ ଆରଟି ହେଉଛି ଏହା ଦୁର୍ଗାପୂଜା ‘ସଂସ୍କୃତିର ସର୍ବୋତ୍ତମ ଗନ୍ତବ୍ୟସ୍ଥଳ’ ବୋଲି ଭ୍ରମଣ କାହାଣୀ ଲେଖକମାନଙ୍କର ଏକ ବୈଶ୍ବିକ ସଙ୍ଗଠନର ସ୍ବୀକୃତି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ କୋଲ୍କାତାରେ କେତେକ ସାମୂହିକ ଦୁର୍ଗାପୂଜା ପେଣ୍ଡାଲ୍ ଉଦ୍ଘାଟନ କରିବେ। ‘ଟିଏମ୍ସି’ ସୂତ୍ରରୁ ପ୍ରକାଶ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷଭାବେ ୧୫୦ଟି ଓ ଭର୍ଚ୍ୟୁଆଲ୍ରେ ଅନ୍ୟୂନ ୪୦୦ଟି ଦୁର୍ଗାପୂଜା ପେଣ୍ଡାଲ୍ ଉନ୍ମୋଚନ କରିବେ।