ନୂଆଦିଲ୍ଲୀ: ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରି ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରିନେଇଛନ୍ତି। ଏହି ଭୟଙ୍କର ଆକ୍ରମଣର ବିଭିନ୍ନ ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓରେ ବର୍ବର ଆକ୍ରମଣ ସହ ଗାଜାରେ ଆତଙ୍କବାଦୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ତେବେ ହମାସ ଆତଙ୍କବାଦୀମାନେ ଉତ୍ସବ ମନାଉଥିବାର ଭିଡିଓରେ ବିଶେଷଜ୍ଞମାନେ ଆମେରିକାର ଯୁଦ୍ଧାସ୍ତ୍ର ଦେଖିଛନ୍ତି। ବିଶେଷ କରି ଏହା ଏମ୍୧୪ ଆସଲ୍ଟ ରାଇଫଲ୍ ବୋଲି ଜଣାପଡ଼ିଛି। ଜଣେ ପ୍ରମୁଖ ଆମେରିକୀୟ ରାଜନେତା ଏନେଇ ପ୍ରଶ୍ନ ଉଠାଇଛନ୍ତି। ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ବାରା ଆମେରିକା ନିର୍ମିତ ବନ୍ଧୁକ ବ୍ୟବହାର ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏହି ଅସ୍ତ୍ର ଆଫଗାନିସ୍ତାନ ନା' ୟୁକ୍ରେନ କେଉଁଠାରୁ ଆସିଛି । ଏନେଇ ସେ ତଦନ୍ତ ଦାବି କରିଛନ୍ତି। ଭାରତରେ ମଧ୍ୟ କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର ହେଉଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଭୟ ଭାରତ ଏବଂ ଇସ୍ରାଏଲ ହେଉଛନ୍ତି ଆମେରିକାର ସହଯୋଗୀ ରାଷ୍ଟ୍ର। ତେବେ ଆମେରିକାରେ ନିର୍ମିତ ଅସ୍ତ୍ର ପାକିସ୍ତାନରେ ଏଲ୍ଇଟି , ଜେଇଏମ୍ ଏବଂ ପାଲେଷ୍ଟାଇନ୍ରେ ହମାସ ଆତଙ୍କବାଦୀ ଗୋଷ୍ଠୀ ହାତରେ ପଡ଼ୁଛି କିଭଳି ବୋଲି ପ୍ରଶ୍ନ ଉଠିଛି।
ଯୁଦ୍ଧ ହେଉଛି ସବୁଠୁ ବଡ଼ ବ୍ୟବସାୟ। କିନ୍ତୁ ଏହା ଏକ ରକ୍ତାକ୍ତ ବ୍ୟବସାୟ ଯେଉଁଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥାଏ। ତେବେ ଆମେରିକା ସବୁଠାରୁ ଅଧିକ ଯୁଦ୍ଧାସ୍ତ୍ର ରପ୍ତାନୀ କରି ଏବଂ ନିର୍ମାଣ କରି ଏହି ବ୍ୟବସାୟର କେନ୍ଦ୍ରସ୍ଥଳରେ ରହିଛି। ୨୦୧୩-୧୭ ଏବଂ ୨୦୧୮-୨୨ ମଧ୍ୟରେ ଆମେରିକା ଦ୍ବାରା ଅସ୍ତ୍ର ରପ୍ତାନୀ ୧୪ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୧୮-୨୨ ମଧ୍ୟରେ ମୋଟ୍ ବୈଶ୍ବିକ ଅସ୍ତ୍ର ରପ୍ତାନୀର ଏହା ୪୦ ପ୍ରତିଶତ। ଆମେରିକା ଅନେକ ସମୟରେ ବିଭିନ୍ନ ରାଷ୍ଟ୍ରକୁ ଯୁଦ୍ଧ ସମୟରେ ଅସ୍ତ୍ର ଦେଇଛି। ୟୁକ୍ରେନ- ରୁଷ୍ ଯୁଦ୍ଧରେ ଆମେରିକା ୟୁକ୍ରେନ୍କୁ ଅସ୍ତ୍ର ଯୋଗାଣ କରିଛି। ଆମେିରକା ମଧ୍ୟ ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଯୁଦ୍ଧରେ କୋଟି କୋଟି ଡଲାରର ଅନେକ ଅସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ଦେଇଛି। ଫେବ୍ରୁଆରି ୨୦୨୦ରେ ଆମେରିକା ତାଲିବାନଙ୍କ ସହ ଶାନ୍ତି ଚୁକ୍ତି କଲା ଏବଂ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କଲା। ତେବେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବାପରେ ୭ ବିଲିଅନ ଡଲାରରୁ ଅଧିକ ପ୍ରତିରକ୍ଷା ଉପକରଣ ଏବଂ ଯୁଦ୍ଧାସ୍ତ୍ର ଆଫଗାନିସ୍ତାନରେ ଛାଡ଼ି ଆସିଥିଲା। ଏହା ଏବେ ତାଲିବାନ ହାତରେ ପଡ଼ିଛି। ଏଥିରେ ବ୍ଲାକ୍ ହକ୍ସ ଏବଂ ଅନ୍ୟାନ୍ୟ ହେଲିକପ୍ଟର ଏବଂ ମିଲିଟାରି ଡ୍ରୋନ୍ ମଧ୍ୟ ରହିଛି। ଏହାପରେ କେତେକ ଅତ୍ୟାଧୁନିକ ଏମ୍୧୬ ଆସଲ୍ଟ ରାଇଫଲ୍ ଭାରତ ବିରୋଧୀ ଏବଂ ଇସ୍ରାଏଲ ବିରୋଧୀ ଗୋଷ୍ଠୀ ହାତରେ ପଡ଼ିଛି।
କାଶ୍ମୀରରେ ଆତଙ୍କବାଦୀମାନେ ଆମେରିକା ଅସ୍ତ୍ର ବ୍ୟବହାର କରୁଛନ୍ତି। ଗତ ବର୍ଷ ରାଇସିନା କଥାବାର୍ତ୍ତା ସମୟରେ ସେନା ମୁଖ୍ୟ ଜେନେରାଲ ଏମଏମ୍ ନରବଣେ କହିଥିଲେ ଆଫଗାନିସ୍ତାନ ଦେଇ ଭାରତରେ ଅସ୍ତ୍ର ସଂଖ୍ୟା ବଢ଼ୁଛି। ଆମେରିକା ନେତୃତ୍ବାଧୀନ ନାଟୋ ବାହିନୀ ଆଫଗାନିସ୍ତାନରେ ଛାଡ଼ି ଯାଇଥିବା ନାଇଟ୍ ଭିଜନ୍ ଗ୍ଲାସ୍ ଏବଂ ଷ୍ଟିଲ୍ କୋର ବୁଲେଟ୍ କାଶ୍ମୀରରେ ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ବ୍ୟବହାର କରୁଛନ୍ତି। ସେମାନେ ବିଭିନ୍ନ ଆମେରିକୀୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି। କାଶ୍ମୀରରେ ଆତଙ୍କବାଦୀଙ୍କଠାରୁ ଜବତ ହୋଇଥିବା ବିଭିନ୍ନ ଅସ୍ତ୍ର ଆମେରିକାର । ଏହା ସବୁଠୁ ବେଶୀ ଚିନ୍ତାଜନକ। ଇସ୍ରାଏଲରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଆମେରିକାର କେତେକ ରାଜନେତା କହିଛନ୍ତି ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଆମେରିକା ଅସ୍ତ୍ର ବ୍ୟବହାର କରୁଛନ୍ତି। ସେମାନେ ଉକ୍ତ ମାମଲାରେ ତଦନ୍ତ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/shsfhfssfhhf.jpg)