ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କାର କରାଯାଇଛି। ଜଣେ ବ୍ୟବସାୟୀଙ୍କଠାରୁ ଉପହାର ଓ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ପାର୍ଲାମେଣ୍ଟ ସଦାଚାର କମିଟି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଲୋକସଭାରେ ଉପସ୍ଥାପିତ ଏହି କମିଟି ରିପୋର୍ଟକୁ ନେଇ ଜୋରଦାର ବିତର୍କ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତୃଣମୂଳ ସଦସ୍ୟଙ୍କୁ ‘ଅନୈତିକ ଆଚରଣ’ ପାଇଁ ବହିଷ୍କାର କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଜଣେ ସାଂସଦଙ୍କୁ ଗୃହରୁ ବହିଷ୍କାର କରାଯାଇଛି। ଏହା ପୂର୍ବରୁ ୨୦୦୫ରେ ତତ୍କାଳୀନ ଗୃହନେତା ପ୍ରଣବ ମୁଖାର୍ଜୀ ଲୋକସଭାରେ ପ୍ରସ୍ତାବିତ ଆଗତ କରିବା ଦିନ ହିଁ ୧୦ ଜଣ ସଦସ୍ୟଙ୍କୁ ବହିଷ୍କାର କରାଯାଇଥିଲା।

Advertisment

 ଏଚ୍‌ଜି ମୁଦଗଲ: କଂଗ୍ରେସ ସାଂସଦ ଏଚ୍‌ଜି ମୁଦଗଲ ହେଉଛନ୍ତି ପ୍ରଥମ ସାଂସଦ ଯିଏ କି ଗୃହରୁ ବହିଷ୍କୃତ ହୋଇଥିଲେ। ୧୯୫୧ ମସିହାରେ ଏକ ବ୍ୟବସାୟୀ ସଂଘଠାରୁ ଲାଞ୍ଚ ଗ୍ରହଣ କରି ଧରାପଡ଼ିବା ପରେ ତାଙ୍କୁ ସଂସଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା।
 ଇନ୍ଦିରା ଗାନ୍ଧି: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସଂସଦରୁ ବହିଷ୍କାର କରିବା ପାଇଁ ୧୯୭୮ ଡିସେମ୍ବର ୧୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପ୍ରସ୍ତାବ ଆଗତ କରିଥିଲେ ଏବଂ ଗୃହରେ ଏହା ଉପରେ ଭୋଟ୍ ନିଆଯାଇଥିଲା। ୨୭୯ ଜଣ ସାଂସଦ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ବିପକ୍ଷରେ ୧୩୮ ଜଣ ଭୋଟ ଦେଇଥିଲେ। ଇନ୍ଦିରା ଗାନ୍ଧି ହେଉଛନ୍ତି ପ୍ରଥମ ପୂର୍ବତନ ପ୍ରଧାନମନ୍ତ୍ରୀ ଯିଏ ସ୍ବାଧିକାର ଭଙ୍ଗ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
 ସୁବ୍ରମଣ୍ୟମ ସ୍ୱାମୀ: ତତ୍କାଳୀନ ଜନସଂଘ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୧୯୭୬ରେ ଜରୁରିକାଳୀନ ପରିସ୍ଥିତି ସମୟରେ ତାଙ୍କ ଅପମାନଜନକ ଆଚରଣ ପାଇଁ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା।
 ପ୍ରଶ୍ନ ପାଇଁ ଲାଞ୍ଚ: ୨୦୦୫ରେ ୧୦ ଜଣ ଲୋକସଭା ସଦସ୍ୟ- ବିଜେପିରୁ ଆନ୍ନାସାହେଦ ଏମ୍‌କେ ପାଟିଲ, ୱାଇଜି ମହାଜନ, ସୁରେଶ ଚଣ୍ଡେଲ, ପ୍ରଦୀପ ଗାନ୍ଧି ଓ ଚନ୍ଦ୍ର ପ୍ରତାପ ସିଂହ; ବିଏସପିରୁ ନରେନ୍ଦ୍ର କୁମାର କୁଶୱାହା, ଲାଲ ଚନ୍ଦ୍ର କୋଲ ଓ ରାଜାରାମ ପାଲ; ଆରଜେଡିର ମନୋଜ କୁମାର ଏବଂ କଂଗ୍ରେସରୁ ରାମସେବକ ସିଂହଙ୍କୁ ବହିଷ୍କାର କରାଯାଇଥିଲା। ଗୃହରେ ପ୍ରଶ୍ନ ପଚାରିବା ପାଇଁ ସେମାନେ ଲାଞ୍ଚ ନେଉଥିବାର ଏକ ଭିଡିଓ ପ୍ରକାଶ ପାଇବା ପରେ ଏହି ପଦକ୍ଷେପ ନିଆଯାଇଥିଲା।
 ଛତ୍ରପାଲ ସିଂହ ଲୋଧା: ୨୦୦୫ରେ ଏକ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସମ୍ପୃକ୍ତ ଥିବା ଛତ୍ରପାଲ ସିଂହ ଲୋଧାଙ୍କୁ ସଦାଚାର କମିଟିର ସୁପାରିସକ୍ରମେ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା।
 ବିଜୟ ମାଲ୍ୟା: କର୍ଣ୍ଣାଟକର ସ୍ୱାଧୀନ ସାଂସଦ ମାଲ୍ୟା ୯୪୦୦ କୋଟି ଟଙ୍କାରୁ ଅଧିକ ଋଣ ଖିଲାପ କରିଥିଲେ। ସଂସଦୀୟ କମିଟି ଏହା ଉପରେ ତଦନ୍ତ କରି ସର୍ବସମ୍ମତିକ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେବା ପରେ ତାଙ୍କୁ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା।
 ରାହୁଲ ଗାନ୍ଧି: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ‘ସବୁ ମୋଦୀ ଚୋର’ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁରତର ଏକ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବାର ଗୋଟିଏ ଦିନ ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତେବେ ମାନହାନି ମାମଲାରେ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ ଅଗଷ୍ଟ ମାସରେ ସେ ତାଙ୍କ ଲୋକସଭା ସଦସ୍ୟତା ପୁଣି ଫେରିପାଇଥିଲେ।