ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୁପ୍ତଚର କାର୍ଯ୍ୟକଳାପ ଉପରେ ଅଧିକ ନଜର ରହିଥିବା ବେଳେ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଭାରତୀୟ କର୍ତ୍ତୃପକ୍ଷ ତିନି ଦିନରେ ଅତି କମ୍ରେ ୧୧ ଜଣଙ୍କୁ ଗିରଫ କରିଛନ୍ତି। ଗୁପ୍ତଚରଗିରି ସନ୍ଦେହରେ ଜଣେ ଟ୍ରାଭେଲ ଭ୍ଲଗର (ଭିଡ଼ିଓ ବ୍ଲଗର) ଗିରଫ ହେବା ପରେ ହିସାର ପୁଲିସ ସତର୍କ କରାଇ ଦେଇଥିଲା ଯେ ଶତ୍ରୁଦେଶ ଯୁବ ଇନ୍ଫ୍ଲୁଏନ୍ସରଙ୍କୁ ଟାର୍ଗେଟ୍ କରୁଛି। ସହଜ ଟଙ୍କା ପାଇଁ ଏଭଳି ଲୋକମାନେ ଭୁଲ୍ ମାର୍ଗରେ ଯାଆନ୍ତି ବୋଲି ହିସାର ଏସ୍ପି ଶଶାଙ୍କ କୁମାର ସାୱନ ଗଣମାଧ୍ୟମକୁ କହିଛନ୍ତି। ୩ଟି ରାଜ୍ୟ ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ୧୧ ଜଣ ‘ଗୁପ୍ତଚର’ଙ୍କ ବିଷୟରେ ଏଠାରେ ସଂକ୍ଷିପ୍ତ ସୂଚନା ଦିଆଗଲା:
ଜ୍ୟୋତି ମାଲହୋତ୍ରା: ‘ଟ୍ରାଭେଲ ୱିଥ୍ ଜେଓ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିବା ଜ୍ୟୋତି ମାଲହୋତ୍ରା ହରିୟାଣା ହିସାରର ବାସିନ୍ଦା। ଗତ ସପ୍ତାହରେ ପାକିସ୍ତାନ ସହ ଭାରତୀୟ ସାମରିକ ସୂଚନା ସେୟାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ୩୩ ବର୍ଷୀୟ ଏହି ବ୍ୟକ୍ତି ପାକିସ୍ତାନ ହାଇକମିସନ୍ର ଜଣେ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଅତି କମ୍ରେ ସେ ତିନିଥର ପାକିସ୍ତାନ ଗସ୍ତ କରିଥିଲେ ବୋଲି ପୁଲିସ କହିଛି। ପହଲଗାମ ଆକ୍ରମଣ ପୂର୍ବରୁ କାଶ୍ମୀର ଗସ୍ତ କରିଥିବା ଜ୍ୟୋତି, ଆକ୍ରମଣସ୍ଥଳର ଫଟୋ ଓ ଭିଡ଼ିଓ ପଠାଇଥିଲେ କି ନାହିଁ ତା’ ଉପରେ ଯାଞ୍ଚ କରାଯାଉଛି।
ଦେବେନ୍ଦ୍ର ସିଂହ: ୨୫ ବର୍ଷୀୟ ଦେବେନ୍ଦ୍ର ସିଂହ ଧିଲୋଁ ପଟିଆଲାର ଖାଲସା କଲେଜରେ ରାଜନୀତି ବିଜ୍ଞାନର ଛାତ୍ର। ଗତ ମେ ୧୨ ତାରିଖରେ ହରିୟାଣାର କୈଥାଲରେ ଏକ ପିସ୍ତଲ ଓ ବନ୍ଧୁକର ଫଟୋ ଫେସବୁକରେ ଅପଲୋଡ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ସେ ଗତ ନଭେମ୍ବରରେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ପଟିଆଲା ସାମରିକ କ୍ୟାଣ୍ଟନମେଣ୍ଟର ଫଟୋ ସମେତ ସମ୍ବେଦନଶୀଳ ସୂଚନା ପାକିସ୍ତାନର ଆଇଏସ୍ଆଇ ଅଧିକାରୀମାନଙ୍କୁ ଦେଇଥିଲେ।
ନୌମାନ ଇଲାହୀ: ହରିୟାଣାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ୨୪ ବର୍ଷୀୟ ନୌମାନ ଇଲାହୀଙ୍କୁ କିଛି ଦିନ ତଳେ ପାନିପଥରୁ ଗିରଫ କରାଯାଇଥିଲା। ସେ ପାକିସ୍ତାନରେ ଥିବା ଜଣେ ଆଇଏସ୍ଆଇ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି। ସେ ଏକାଧିକ ଥର ପାକିସ୍ତାନ ଗସ୍ତ କରିଥିଲେ। ଉତ୍ତରପ୍ରଦେଶର ବାସିନ୍ଦା ଇସଲାମାବାଦକୁ ସୂଚନା ଦେବା ପାଇଁ ତାଙ୍କ ଭିଣୋଇଙ୍କ ଆକାଉଣ୍ଟରେ ପାକିସ୍ତାନରୁ ଟଙ୍କା ନେଉଥିଲେ।
ଅର୍ମାନ: ଗୁଇନ୍ଦା ସୂଚନା ଆଧାରରେ ୨୬ ବର୍ଷୀୟ ଅରମାନଙ୍କୁ ମେ ୧୬ ତାରିଖରେ ହରିୟାଣାର ନୁହରୁ ଗିରଫ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ସେ ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରୁଥିବା ପୁଲିସ କହିଛି। ଅରମାନ ହ୍ୱାଟ୍ସଆପ ଜରିଆରେ ପାକିସ୍ତାନକୁ ଭାରତର ସାମରିକ ଗତିବିଧିର ବିବରଣୀ ପଠାଉଥିଲା ବୋଲି ପୁଲିସ କହିଛି।
ତାରିଫ୍: ହରିୟାଣାର ନୁହରୁ ଗିରଫ ହୋଇଥିବା ତାରିଫ୍ ହେଉଛନ୍ତି ଦ୍ୱିତୀୟ ଅଭିଯୁକ୍ତ। ଅରମାନ ଗିରଫ ହେବାର ଦୁଇ ଦିନ ପରେ ତାଙ୍କୁ ତାୱାଡୁ ଉପଖଣ୍ଡର କାଙ୍ଗରକା ଗାଁରୁ ଉଠାଇ ନିଆଯାଇଥିଲା। ପୁଲିସକୁ ଦେଖି ସେ ମୋବାଇଲରେ ଥିବା କିଛି ଚାଟ୍ ଡିଲିଟ୍ କରିବାକୁ ଚେଷ୍ଟା କରିଥିଲା ବୋଲି ପୁଲିସ କହିଛି। ତାଙ୍କ ଫୋନ୍ରୁ ପାକିସ୍ତାନୀ ହ୍ୱାଟ୍ସଆପ୍ ନମ୍ବରର କିଛି ଡାଟା ମଧ୍ୟ ଡିଲିଟ୍ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ସେ ପାକିସ୍ତାନ ଦୂତାବାସର ଦୁଇ ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିଲେ, ଯେଉଁମାନେ ତାଙ୍କୁ ସିମ୍ କାର୍ଡ ପ୍ରଦାନ କରିଥିଲେ। ସେ ବାରମ୍ବାର ପାକିସ୍ତାନ ଯାଉଥିଲେ। ଶେଷରେ ଦୂତାବାସ ଅଧିକାରୀମାନେ ତାଙ୍କୁ ସିର୍ସା ଯାଇ ବିମାନବନ୍ଦରର ଫଟୋ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଶାହଜାଦ୍: ଉତ୍ତରପ୍ରଦେଶ ରାମପୁରର ବ୍ୟବସାୟୀ ଶାହଜାଦ୍ଙ୍କୁ ରବିବାର ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ମୋରାଦାବାଦରୁ ଗିରଫ କରିଛି। ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ସେ ନିଜ ହ୍ୟାଣ୍ଡଲରଙ୍କୁ ଦେଇଥିଲେ ବୋଲି ଏସ୍ଟିଏଫ୍ କହିଛି। ସେ ଏକାଧିକ ଥର ପାକିସ୍ତାନ ଗସ୍ତ କରି କସମେଟିକ୍ସ, ପୋଷାକ ଓ ମସଲା ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ମହମ୍ମଦ ମୁର୍ତାଜା ଅଲୀ: ଜଲନ୍ଧରରେ ଗୁଜରାଟ ପୁଲିସ ଚଢ଼ାଉ କରି ମହମ୍ମଦ ମୁର୍ତାଜା ଅଲୀକୁ ଗିରଫ କରିଛି। ସେ ପାକିସ୍ତାନର ଆଇଏସ୍ଆଇ ପାଇଁ ଗୁପ୍ତଚର କାମ କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ ସେ ଏକ ମୋବାଇଲ ଆପ୍ ଜରିଆରେ ଏପରି କାମ କରୁଥିଲେ ଯାହାକୁ ସେ ନିଜେ ବିକଶିତ କରିଥିଲେ। ତାଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍ ଓ ୩ଟି ସିମ୍ କାର୍ଡ ମିଳିଥିଲା।
ଗଜାଲା ଓ ୟାମିନ୍ ମହମ୍ମଦ: ଜ୍ୟୋତି ମାଲହୋତ୍ରାଙ୍କ ସହ ପଞ୍ଜାବର ମାଲେରକୋଟଲାର ୩୨ ବର୍ଷୀୟା ବିଧବା ଗଜାଲା ଓ ୟାମିନ୍ ମହମ୍ମଦଙ୍କୁ ମଧ୍ୟ ଟଙ୍କା ବଦଳରେ ପାକିସ୍ତାନୀ ଏଜେଣ୍ଟମାନଙ୍କ ସହ ସୂଚନା ବାଣ୍ଟିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ପାକିସ୍ତାନୀ ହାଇକମିସନର ପୂର୍ବତନ କର୍ମଚାରୀ ଦାନିଶଙ୍କ ସହ ଆର୍ଥିକ କାରବାର ଓ ଭିସା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସହଯୋଗ କରିଥିଲେ। ସେମାନଙ୍କ ମୋବାଇଲ୍ ଫୋନକୁ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ସେମାନଙ୍କର କାମ ଥିଲା ସେମାନଙ୍କ ଗୁପ୍ତଚର ନେଟୱର୍କକୁ ଟଙ୍କା ପଠାଇବା।
ସୁଖପ୍ରୀତ ସିଂହ: ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିବା ଅଭିଯୋଗରେ ପଞ୍ଜାବ ପୁଲିସ ଗୁରୁଦାସପୁରର ସୁଖପ୍ରୀତ ସିଂହଙ୍କୁ ଗିରଫ କରିଛି। ସେ ଅପରେସନ ସିନ୍ଦୂର ସମ୍ବନ୍ଧୀୟ ଗୋପନୀୟ ବିବରଣୀ, ଯବାନଙ୍କ ଗତିବିଧି ଏବଂ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରର ପ୍ରମୁଖ ରଣନୈତିକ ସ୍ଥାନ ବିଷୟରେ ଆଇଏସ୍ଆଇକୁ ସୂଚନା ଦେଉଥିଲା।
କରଣବୀର ସିଂହ: ଗୁରୁଦାସପୁରରେ ଧରାପଡ଼ିଥିବା ଅନ୍ୟତମ ସନ୍ଦିଗ୍ଧ ହେଉଛନ୍ତି କରଣବୀର ସିଂହ ଯିଏ ଆଇଏସ୍ଆଇ ହେଣ୍ଡଲରଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ ଏବଂ ଭାରତୀୟ ସଶସ୍ତ୍ର ବାହିନୀ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଥିଲେ। ଦୁଇ ଅଭିଯୁକ୍ତ ନିଶା ଦ୍ରବ୍ୟ ଚୋରା ଚାଲାଣରେ ମଧ୍ୟ ସମ୍ପୃକ୍ତ ଥିଲେ। ସୁଖପ୍ରୀତ ଏବଂ କରଣବୀରଙ୍କ ବିରୋଧରେ କଠୋର ଅଫିସିଆଲ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଏତଲା ରୁଜୁ କରାଯାଇଛି।