ନୂଆଦିଲ୍ଲୀ/ ଜୟପୁର: ରାଜସ୍ଥାନର ୧୯୯ ଆସନ ବିଶିଷ୍ଟ ବିଧାନସଭାରେ ୧୧୨ଟି ଆସନରେ ଆଗୁଆ ଥିବା ବିଜେପି ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଦଳ ଏଯାବତ୍ ମୁଖ୍ୟମନ୍ତ୍ରୀ ରୂପେ କାହାକୁ ଚୟନ କରିନାହିଁ କିମ୍ବା ଏନେଇ କୌଣସି ଘୋଷଣା ମଧ୍ୟ କରିନାହିଁ। ଫଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅନେକଙ୍କ ନାମ ଚର୍ଚ୍ଚାରେ ରହିଛି। ଏହିକ୍ରମରେ ଯେଉଁ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ ଜୟପୁର ରାଜପରିବାରର ସଦସ୍ୟ ରାଜକୁମାରୀ ଦିୟା କୁମାରୀ।
ସେ ଜୟପୁର ରାଜ୍ୟର ଶେଷ ଶାସକ ମହାରାଜା ମାନ ସିଂହ ଦ୍ଵିତୀୟଙ୍କ ନାତୁଣୀ। ଜୟପୁରର ଝିଅ ଏବଂ ରାଜକୁମାରୀ ଭାବେ ସେ ଦଳ ପାଇଁ ଭୋଟ ମାଗୁଥିଲେ। ଐତିହ୍ୟ ସଂପନ୍ନ ପରିବାର ହୋଇ ମଧ୍ୟ ତାଙ୍କର ସାଦାସିଧା ବ୍ୟକ୍ତିତ୍ୱ ତାଙ୍କୁ ରାଜସ୍ଥାନବାସୀଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱରେ ପରିଣତ କରିଛି।
୨୦୧୩ରେ ବିଜେପିରେ ଯୋଗ ଦେବା ପରଠାରୁ ଦିୟା କୁମାରୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୁଇଟି ଯାକ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ୨୦୧୩ ମସିହାରେ ସୱାଇ ମାଧୋପୁର ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାର ନିର୍ବାଚିତ ସଦସ୍ୟ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜସମନ୍ଦ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ ୫.୫୧ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।
ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ୫୨ ବର୍ଷୀୟା ଏହି ରାଜକୁମାରୀ ଜଣେ ରାଜନେତା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୯ରେ ସେ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣର ସଦସ୍ୟ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।
ଚଳିତ ବିଧାନସଭା ନିର୍ବାଚନରେ ଜୟପୁରର ବିଦ୍ୟାନଗର ପୂର୍ବରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ରାଜକୁମାରୀ ଦିୟାଙ୍କୁ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ସହ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ବିକଳ୍ପ ଭାବରେ ଦେଖିବାକୁ ମିଳୁଛି।
ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରକୁ ଜନତା ଭୋଟ୍ ଦେବେ ନାହିଁ ଏବଂ ବିଜେପିକୁ ସମର୍ଥନ କରିବେ ଦିୟା କୁମାରୀ କହିଥିଲେ। ସେ କହିଥିଲେ, ବିଜେପି ଲୋକଙ୍କ ପାଇଁ କାମ କରୁଛି ବୋଲି ଜନସାଧାରଣ ଜାଣନ୍ତି। ସେମାନେ ଏପରି ସରକାର ଚାହୁଁଛନ୍ତି ଯିଏ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବ, ଯୁବକମାନଙ୍କୁ ଚାକିରି ଦେବ ଏବଂ କୃଷକମାନଙ୍କ ସହିତ ଭଲ ବ୍ୟବହାର କରିବ ବୋଲି ଦିୟା କୁମାରୀ କହିଛନ୍ତି।
ସେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ବୋଲି ପଚରାଯିବାରୁ ଦିୟା କୁମାରୀ କହିଛନ୍ତି, ଏ ପ୍ରଶ୍ନର ମୋ ପାଖରେ ନାହିଁ। କାରଣ, ଏପ୍ରସଙ୍ଗରେ ବିଜେପି ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାହା ମୋ ପାଇଁ ଚୂଡ଼ାନ୍ତ।