ପାକିସ୍ତାନୀ ସେନା ଦେଶର ସବୁଠୁ ବଡ ବିଜନେସ୍ ହାଉସ୍, ଚଳାଇଥାଏ ଦେଢଲକ୍ଷ କୋଟି ଟଙ୍କାର ବ୍ୟବସାୟ

ଇସଲାମାବାଦ: ପାକିସ୍ତାନର ଶାସନରେ ବିଗତ ୭୦ ବର୍ଷରୁ ଅଧିକ ସମୟ ଧରି ଦଖଲ ଦେଉଥିବା ସେଠାକାର ସେନା ୫୦ରୁ ଅଧିକ ବଡ ବ୍ୟବସାୟ ବି ଚଳାଇଥାଏ। ପାକିସ୍ତାନ ସଂସଦରେ ଦାଖଲ ଅଫିସିଆଲ୍ ରେକର୍ଡ ଅନୁସାରେ ସେନାର ମୋଟ ବ୍ୟବସାୟ ପାଖାପାଖି ୧.୫ ଲକ୍ଷ କୋଟିରୁ ଅଧିକ।

ପାକିସ୍ତାନର ସେନା ସେଠାକାର ସବୁଠୁ ବଡ ବିଜନେସ୍ ହାଉସ୍। ଏହି କାରଣରୁ ସେନା ପାକିସ୍ତାନର ରାଜନୀତିରେ ମୁଣ୍ଡ ଖେଳାଇଥାଏ। ସେନା ସେଠାରେ ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ସିମେଣ୍ଟ ପ୍ଲାଣ୍ଟ ଚଳାଇଥାଏ। ସେନା ସହିତ ଜଡିତ ଭିନ୍ନ ଭିନ୍ନ ଟ୍ରଷ୍ଟ ସେଠାରେ ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଆଲ୍ ପାର୍କ, ବ୍ୟାଙ୍କ୍, ବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଚଳାଇଥାନ୍ତି।

କ୍ରେଡିଟ୍ ସୁଇସର ୨୦୨୨ର ରିପୋର୍ଟ ଅନୁସାରେ ପାକିସ୍ତାନ ସେନାର ୨୫ ପୂର୍ବତନ ଅଫିସରଙ୍କ ସ୍ଵିସ୍ ବ୍ୟାଙ୍କରେ ଏକାଉଣ୍ଟ ଅଛି। ଏଠାରେ ପାଖାପାଖି ୮୦ ହଜାର କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଜମା କରାଯାଇଛି। ଏଥିରୁ ଆଇଏସଆଇର ମୁଖ୍ୟ ରହିଥିବା ଜେନେରାଲ୍ ଅକ୍ତର ଅବଦୁଲ୍ ରେହମାନ ଖାନଙ୍କ ଏକାଉଣ୍ଟରେ ୧୫ ହଜାର କୋଟି ଟଙ୍କା ଜମା ଅଛି।

ସେନା ପାଖରେ ପାକିସ୍ତାନର ୮ଟି ସହରରେ ଡିଫେନ୍ସ ହାଉସିଂ ଅଟୋରିଟି (ଡିଏଚଏ)ର ମାଲିକାନା ଅଛି। ଏମାନଙ୍କ ମଧ୍ୟରୁ ଇସ୍‌ଲାମାବାଦ, ରାଓ୍ଵଲପିଣ୍ଡି, କରାଚି, ଲାହୋର, ମୁଲତାନ, ଗୁଜରାନଓ୍ଵାଲା, ମହାବଲପୁର, ପେଶାଓ୍ଵର ଓ କ୍ଵେଟା ସାମିଲ ଅଛି। ସେନା ପାଖରେ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଜମି ଅଛି।

ନିକଟରେ ପାନାମା ପେପର୍ ଲିକ୍ ମାମଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ଶଫତୁଲ୍ଲା ଶାହଙ୍କ ଲଣ୍ଡନରେ ୫ ହଜାର କୋଟି ଟଙ୍କାର ସମ୍ପତ୍ତି ଥିବା ବିଷୟରେ ସୂଚନା ମିଳିଥିଲା। ପରଭେଜ୍ ମୁଶାରଫଙ୍କ ସମୟରେ ସେ ଦ୍ଵିତୀୟ ସର୍ବାଧିକ ବରିଷ୍ଠ ଅଫିସର ଥିଲେ।

ସମ୍ବନ୍ଧିତ ଖବର