ପ୍ରଧାନମନ୍ତ୍ରୀ ମୋଦୀଙ୍କ ହିମାଚଳ ପ୍ରଦେଶ ଗସ୍ତ ଅବସରରେ ସୁସ୍ବାଦୁ ବ୍ୟଞ୍ଜନ : ପରଷା ଯିବ ‘ଗୁଚ୍‌ଚି’ ଛତୁ, ଯାହାର କିଲୋ ୪୦ ହଜାର ଟଙ୍କା

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୁଦ୍ର ପତ୍ତନ ଠାରୁ ୧୦, ୦୦୦ ଫୁଟ୍ ଉଚ୍ଚରେ ନିର୍ମିତ ବିଶ୍ବର ଦୀର୍ଘତମ ସୁଡ଼ଙ୍ଗ ‘ଅଟଳ ରୋହତଙ୍ଗ୍ ଟନେଲ୍‌’ ଉଦ୍‌ଘାଟନ କରିବାକୁ ହିମାଚଳ ପ୍ରଦେଶରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ‌ସ୍ବାଗତ କରିବା ସହ ଚର୍ଚ୍ଚା କରିବାକୁ ତାଙ୍କ ମନଲାଖି ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯିବ।

ଏଥିଲାଗି ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ଦାୟିତ୍ବରେ ଥିବା ‘ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ’ ମେନୁରୁ କେତେକ ସୁସ୍ବାଦୁ ବ୍ୟଞ୍ଜନ ଚୟନ କରିଛନ୍ତି। ‘ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ’ର ଡେପୁଟି ଜେନେରାଲ୍ ମ୍ୟାନେଜର୍‌ ନନ୍ଦଲାଲ୍ ଶର୍ମାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପାଚକଦଳ ପ୍ରଧାନମନ୍ତ୍ରୀ ଓ ଭିଭିଆଇପିମାନଙ୍କୁ ଆପ୍ୟାୟିତ କରାଯିବାକୁ ଥିବା ବ୍ୟଞ୍ଜନ ପ୍ରସ୍ତୁତି ଲାଗି ମନାଲିରେ ପହଞ୍ଚି ସାରିଛନ୍ତି।

ହିମାଳୟରୁ ସଂଗୃହୀତ ସାକସବ୍‌ଜିରେ ପ୍ରସ୍ତୁତ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟାହ୍ନ ଭୋଜନ। ସେଥିରେ ରହିବ ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ  ଦଳର ପ୍ରଭାରୀ ଦାୟିତ୍ବରେ ଥିବା ସମୟରେ ଖାଉଥିବା କେତେକ ପ୍ରିୟ ଖାଦ୍ୟ। ସେଥିରୁ ସବୁଠୁ ଭଲ ବ୍ୟଞ୍ଜନଟି ହେଉଛି ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କର ପ୍ରିୟ ‘ଗୁଚ୍‌ଚି’ ନାମକ ବ୍ୟୟବହୁଳ ଛତୁ।

Image Courtesy of The Statesman

ସମୁଦ୍ର ପତ୍ତନର ୬୦୦୦ ଫୁଟ୍ ଉଚ୍ଚରେ ହିମାଚଳ ପ୍ରଦେଶ ପାହାଡ଼ ଓ ଜମ୍ମୁକଶ୍ମୀରରେ ଦେଖାଯାଉଥିବା ଖନିଜ ଲବଣରେ ସମୃଦ୍ଧ ‘ଗୁଚ୍‌ଚି’ରେ ରହିଛି ଉଚ୍ଚମାତ୍ରାର ଲୌହ ଓ ଭିଟାମିନ୍ ଡି। ଏଥିରେ ଚର୍ବି ଭାଗ ଖୁବ୍ କମ୍ ଥିବା ବେଳେ ଭରି ରହିଛି ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ତନ୍ତୁ। ବ୍ୟାବସାୟିକ ଭାବେ ଚାଷ କରାଯାଇ ପାରୁ ନ ଥିବା ‘ଗୁଚ୍‌ଚି’ କୁଲ୍ଳୁ-ମନାଲି, ଚମ୍ବା, କାଙ୍ଗ୍ରା ଏବଂ ପାଙ୍ଗି ଉପତ୍ୟକାର କେତେକ ଅରଣ୍ୟାଞ୍ଚଳରେ ମିଳିଥାଏ। ଏବେ ‘ଗୁଚ୍‌ଚି’ର ବଜାର ଦର କି. ଗ୍ରା. ପ୍ରତି ପ୍ରାୟ ୪୦ ହଜାର ଟଙ୍କା।

ପ୍ରଧାନମନ୍ତ୍ରୀଙ୍କ ଲାଗି ଚୟନ କରାଯାଇଥିବା ଅନ୍ୟ ଏକ କୁଲ୍ଲୁ ବ୍ୟଞ୍ଜନ ହେଉଛି ‘ସିଦ୍ଦୁ’। ଏହା ଅଟାରେ ତିଆରି ପାଉଁରୁଟି ବନ୍ ଭଳି ଏକ ଖାଦ୍ୟ । ଏଥିର ଅକ୍ଷୋଟ, ପୋସ୍ତ, ଭିଜା ଡାଳିମ୍ବ ମଞ୍ଜି ଆଦି ପଡ଼ିଥାଏ । ଏହାକୁ ଗରମ ଗୁଆଘିଅ ଓ ଚଟଣି ସହ ପରଷା ଯାଏ ।

ଏହା ବ୍ୟତିରେକେ, ଲବଙ୍ଗ, ଡାଳଚିନି, ଗୁଜୁରାତି, ଜୀରା, ଧନିଆଗୁଣ୍ଡ ଏବଂ ଦଳଦୀଗୁଣ୍ଡ ଦିଆଯାଇ ବତୁା‌ରା ସ‌ୋଲା କିଂବା ପରିବାରେ ପ୍ରସ୍ତୁତ ଚମ୍ବାର ବ୍ୟଞ୍ଜନ ‘ମାଦ୍ରା’। ହରଡ଼ ଡାଲିରେ ପ୍ରସ୍ତୁତ ଅନ୍ୟ ଏକ ବ୍ୟଞ୍ଜନ ହେଉଛି ‘ସେପୁ ବଡ଼ି’। ମିଷ୍ଠାନ୍ନରେ ରହିବ ମକ୍ମି ହାଲୁଆ ଓ ବଥୁ ଖିରି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ କରାଯାଇଥିବା ବନ୍ଦୋବସ୍ତ ତଦାରଖ କରିବାକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଠାକୁର ଏବଂ ‌ଦଳେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ ମନାଲି ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର