ସରକାରଙ୍କ ନିକଟରେ ୧୧ଟି ଦାବି ରଖିଲେ ବିରୋଧୀ ଦଳ

ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ: କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳର ନେତା ଗତକାଲି ଏକ ଭର୍ଚୁଆଲ୍‌ ବୈଠକ କରି କେନ୍ଦ୍ର ସରକାରକୁ ଘେରିବାକୁ ଯୋଜନା କରିଥିଲେ। ଆଜି ସେମାନେ ସରକାରଙ୍କ ନିକଟରେ ୧୧ଟି ଦାବି ରଖି ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି। ପେଗାସସ୍‌ ସ୍ପାଏୱେର ଗୁଇନ୍ଦାଗିରି ମାମଲାରେ ତୁରନ୍ତ ବିଚାରବିଭାଗୀୟ ତଦନ୍ତ ଦାବି, ୩ କୃ‌ଷି ଆଇନ ଉଚ୍ଛେଦ, ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହ୍ରାସ ସମେତ ୧୧ଟି ଦାବି ରଖିଛନ୍ତି ବିରୋଧୀ ଦଳ । କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ଟିଏମ୍‌ସି, ଏନ୍‌ସିପି, ଡିଏମ୍‌କେ, ଶିବସେନା, ଜେଏମ୍‌ଏମ୍‌, ସିପିଆଇ, ସିପିଏମ୍‌, ଏନ୍‌ସି, ଆର୍‌ଜେଡି, ଏଆଇୟୁଡିଏଫ୍‌, ଭିସିକେ, ଲୋକତାନ୍ତ୍ରିକ ଜନତା ଦଳ, ଜେଡିଏସ୍‌, ଆର୍‌ଏଲ୍‌ଡି, ଆର୍‌ଏସ୍‌ପି, କେରଳ କଂଗ୍ରେସ (ଏମ୍‌), ପିଡିପି ଏବଂ ଆଇୟୁଏମ୍‌ଏଲ୍‌ର ନେତାମାନେ ଗତକାଲି ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲେ।

ମିଳିତ ବିବୃତି ଜାରି କରି ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ଶାସକ ଦଳ ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳଙ୍କୁ ସେମାନଙ୍କ ମତ ରଖିବାକୁ ସୁଯୋଗ ଦେଇନଥିଲେ। ଦେଶବାସୀ ଦରବୃଦ୍ଧିରେ ଛଟପଟ ହେଉଥିଲେ ମଧ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା ନ କରିବା ନିନ୍ଦନୀୟ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର