ଆରମ୍ଭରୁ ଉତ୍କଣ୍ଠା ଓ ଉତ୍ତେଜନା:ଅଳ୍ପକେ ବର୍ତିଗଲା ବିଜେପି

ନୂଆଦିଲ୍ଲୀ : ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଭିତରେ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଅଳ୍ପକେ ବର୍ତ୍ତିଯାଇଛି। ପ୍ରଥମ ଥର ପାଇଁ ଜାତିଗତ ସମୀକରଣ ସହ କଂଗ୍ରେସର ଆକ୍ରମଣାତ୍ମକ ପ୍ରଚାର ବିଜେପିକୁ ବ୍ୟତିବ୍ୟସ୍ତ କରିଦେଇଥିବା ବେଳେ ଭୋଟ୍‌ ଗଣତି ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ସମୟରେ ବିଜେପିଠାରୁ କଂଗ୍ରେସ ଆଗୁଆ ରହିଥିଲା। ପ୍ରାୟ ୧୫ ମିନିଟ୍‌ ଧରି ଏହି ସ୍ଥିତି କାଏମ ରହିବାରୁ ଉତ୍ସବ ମନାଇବାକୁ ତୟାର ହେଉଥିବା ଦଳୀୟ ନେତା ଓ କର୍ମୀଙ୍କ ହୃଦ୍‌୍‌ସ୍ପନ୍ଦନ ବଢ଼ିଯାଇଥିଲା। ତେବେ ଏହି ସ୍ଥିତିରେ ପରିବର୍ତ୍ତନ ହେବାରୁ ବିଜେପି ନେତାମାନେ ଆଶ୍ୱସ୍ତ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ବିଜୟ ଉତ୍ସବ ମନାଇବାକୁ ବିଭିନ୍ନ ଦଳୀୟ କାର୍ଯ୍ୟାଳୟରେ ସମବେତ ହୋଇଥିବା ସମର୍ଥକମାନଙ୍କୁ କିଛି ସମୟ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପଡ଼ିଥିଲା।
ଗ୍ରାମୀଣ ଗୁଜରାଟରେ କଂଗ୍ରେସର ଜୟଯାତ୍ରା
୨୦୧୭ ବିଧାନସଭା ନିର୍ବାଚନରେ ଗ୍ରାମୀଣ ଗୁଜରାଟରେ ବିଜେପି ବଡ଼ ଧରଣର ବିପର୍ଯ୍ୟୟକୁ ସାମ୍ନା କରିଛି। ଗ୍ରାମୀଣ କ୍ଷେତ୍ରରେ ସଫଳତା ହିଁ କଂଗ୍ରେସର ଆସନ ସଂଖ୍ୟାକୁ ୮୦ରେ ପହଞ୍ଚାଇଥିବା ବେଳେ ବିଜେପିର ସମର୍ଥନ ଭିତ୍ତି ଦୋହଲି ଯାଇଛି। ରାଜ୍ୟର ୧୦୯ଟି ନିର୍ବାଚନମଣ୍ଡଳୀ ଗ୍ରାମୀଣ ଅଂଚଳରେ ଆସୁଥିବା ବେଳେ କଂଗ୍ରେସ ଏଥିରୁ ୬୨ଟି ଆସନ ଦଖଲ କରି ଏକ ଶକ୍ତିଶାଳୀ ଭିତ୍ତିଭୂମି ତୟାର କରିଛି। ଗ୍ରାମୀଣ ଅଂଚଳରେ କୃଷକ, ଯୁବକ ଓ ଶ୍ରମଜୀବୀ ଜନତା ବିଜେପିକୁ ବିରୋଧ କରିଥିବାରୁ ଦଳର ବିଜୟ ଟାର୍ଗେଟ୍‌ ଧୂଳିସାତ୍‌ ହୋଇ ଶହେରୁ ତଳକୁ ଖସିଆସିଛି । ବିଜେପିକୁ ୪୩ ଗ୍ରାମୀଣ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।
ସୌରାଷ୍ଟ୍ର, କଚ୍ଛରେ ବିଜେପିର ବିପର୍ଯ୍ୟୟ
ସୌରାଷ୍ଟ୍ର ଓ କଚ୍ଛ ଅଂଚଳରେ ବିଜେପିର ବିପର୍ଯ୍ୟୟ ଦଳ ପାଇଁ ଏବେ ସଙ୍କଟ ସୃଷ୍ଟି କରିଛି। ବିଜେପି ୨୦୧୨ ନର୍ବାଚନଠାରୁ ୧୬ଟି ଆସନ କମ୍‌ ପାଇଥିଲେ ମଧ୍ୟ ସୌରାଷ୍ଟ୍ର ଅଂଚଳରେ ଏହାର ସ୍ଥିତି ସଙ୍କଟାପନ୍ନ ହୋଇଛି। ଏହି କ୍ଷେତ୍ରର ୩୨ଟି ଆସନରୁ ଦଳକୁ କେବଳ ୯ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ୨୦୧୨ରେ ଦଳ ଏଠାରେ ୧୮ ଆସନ ଅକ୍ତିଆର କରିଥିଲା।
ସହରାଞ୍ଚଳରେ କଂଗ୍ରେସର ବିପର୍ଯ୍ୟୟ
ଗୁଜରାଟର ସହରାଞ୍ଚଳ ଭୋଟରଙ୍କୁ ନିଜ ପଟକୁ ଆଣିବା ପାଇଁ କଂଗ୍ରେସର ରଣନୀତି ବିଫଳ ହୋଇଛି । ସୁରଟ୍‌, ଅହମଦାବାଦ ଏବଂ ଭଦୋଦରାର ୩୬ଟି ନିର୍ବାଚନ ମଣ୍ଡଳୀରୁ ବିଜେପି ଏଥର ୩୧ଟି ଦଖଲ କରିବାରେ ସକ୍ଷମ ହୋଇଥିବା ବେଳେ କଂଗ୍ରେସ ଭାଗରେ କେବଳ ୫ଟି ଆସନ ପଡ଼ିଛି। ସହରାଞ୍ଚଳରେ ବିଜେପିର ସଫଳତା ଗ୍ରାମୀଣ କ୍ଷେତ୍ରରେ ହୋଇଥିବା ବଡ଼ ବିପର୍ଯ୍ୟୟକୁ ଭରଣା କରିବାରେ ସକ୍ଷମ ହୋଇଛି ।
ଉତ୍ତର ଗୁଜରାଟ ବିଜେପିକୁ ବଂଚାଇଲା
ଉତ୍ତର ଗୁଜରାଟର ୬ଟି ଜିଲ୍ଲାରେ ବିଜେପିର ସଫଳତା ବିଜେପି ସରକାରକୁ ରକ୍ଷା କରିବାରେ ବଡ଼ ଭୂମିକା ନେଇଛି। ଏହି ଅଂଚଳରେ ହାର୍ଦ୍ଦିକ ପଟେଲଙ୍କ ସଫଳ ପଟିଦାର ଆନ୍ଦୋଳନ ସତ୍ତ୍ୱେ ବିଜେପି ଏଠାରେ ତା’ର ପୂର୍ବ ସଫଳତା ଦୋହରାଇବାରେ ସକ୍ଷମ ହୋଇଛି।
ହାର୍ଦ୍ଦିକ ପଟେଲଙ୍କ ରଣନୀତି କାମଦେଲାନି
ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ନେଇ ଚାଲିଥିବା ବେଳେ ପଟିଦାର ଆନ୍ଦୋଳନର ବିଶେଷ ଫାଇଦା କଂଗ୍ରେସକୁ ମିଳିପାରି ନାହିଁ। ବିଜେପିକୁ ଜୋର୍‌୍‌ଦାର ବିରୋଧ କରି କଂଗ୍ରେସକୁ ସମର୍ଥନ ଘୋଷଣା କରିଥିବା ହାର୍ଦ୍ଦିକ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ଏବଂ ଦଳର ଅନ୍ୟ ଟାଣୁଆ ନେତାମାନେ ତାଙ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଯାଇଥିଲେ। ଫଳରେ ବିଜେପି ଏକ ବଡ଼ଧରଣର ନିର୍ବାଚନୀ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛ ଅଂଚଳକୁ ବାଦଦେଲେ ରାଜ୍ୟରେ ଅନ୍ୟ କୌଣସି ପଟେଲ ବହୁଳ ଅଂଚଳରେ ବିଜେପି କ୍ଷତିର ସମ୍ମୁଖୀନ ହୋଇନାହିଁ।
ପ୍ରସଙ୍ଗ ହୋଇପାରିଲାନି ଜିଏସ୍‌୍‌ଟି
ଗୁଜରାଟ ନିର୍ବାଚନରେ ଏଥର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌୍‌ଟି) ପ୍ରବଳ ଚର୍ଚ୍ଚାରେ ରହିଥିଲେ ମଧ୍ୟ ଏହାକୁ ଏକ ସଫଳ ନିର୍ବାଚନୀ ଅସ୍ତ୍ରରେ ପରିଣତ କରିବାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବ୍ୟର୍ଥ ହୋଇଥିବା ଆଜି ପ୍ରମାଣିତ ହୋଇଛି । ରାଜ୍ୟର ସବୁଠାରୁ ବଡ଼ ସହର ତଥା ବ୍ୟାବସାୟିକ କେନ୍ଦ୍ର ସୁରଟ୍‌ରେ ବିଜେପି ଆଶାନୁରୂପ ସଫଳତା ହାସଲ କରି କଗ୍ରେସକୁ ଚମକାଇ ଦେଇଛି । ସୁରଟରେ ଜିଏସ୍‌୍‌ଟି ବିରୋଧୀ ଅସନ୍ତୋଷକୁ ପୁଂଜି କରି କଂଗ୍ରେସ ନିଜ ସ୍ଥିତି ସୁଦୃଢ଼ କରିବାକୁ ସମସ୍ତ ପ୍ରୟାସ କରିଥିଲା। କିନ୍ତୁ ଏହା ଆଦୌ କାମ ଦେଇନଥିବା ଆଜି ନିର୍ବାଚନ ଫଳରୁ ଜଣାପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜିଏସ୍‌୍‌ଟିକୁ ଗବ୍ଦର ସିଂହ ଟ୍ୟାକ୍ସ କହି ସମାଲୋଚନା କରିଥିଲେ। ସୁରଟର ୧୨ଟି ଆସନରୁ ୧୧ଟିରେ ବିଜେପି ବିଜୟ ହାସଲ କରିଛି। ପଟେଲଙ୍କ ଗଡ଼ କୁହାଯାଉଥିବା ଅଂଚଳମାନଙ୍କରେ ମଧ୍ୟ ବିଜେପିର ଜୋର୍‌ଦଦାର ସଫଳତା ବିଜେପି ବିରୋଧୀ ପଟିଦାର ନେତାଙ୍କ ପାଇଁ ଝଟ୍‌୍‌କା ସାବ୍ୟସ୍ତ ହୋଇଛି ।

ସମ୍ବନ୍ଧିତ ଖବର