କାବୁଲ : ତାଲିବାନ ଗତମାସ ଅଗଷ୍ଟ ୧୫ ତାରିଖରେ ଆଫଗାନ ଦଖଲ କଲା। ଅଗଷ୍ଟ ୩୧ ତାରିଖ ରାତିରେ ଆମେରିକା ଆଫଗାନ ମାଟିରୁ ବିଦାୟ ନେଲା। ଆଫଗାନର ବିଦାୟ ପରେ ହିଁ ତାଲିବାନ ସରକାର ଗଠନ କରିବ ବୋଲି କହିଥିଲା। କିନ୍ତୁ ଇତି ମଧ୍ୟରେ ଅନେକ ଦିନ ବିତିଯାଇଥିଲେ ବି ତାଲିବାନ ସରକାର ଗଠନ କରିପାରୁନି। ବାରମ୍ବାର ଏହା ସରକାର ଗଠନ କାର୍ଯ୍ୟକ୍ରମ ସ୍ଥଗିତ ରଖୁଛି। ତାଲିବାନ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ପଛୁଆ ହୋଇଯାଉଛି। ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। କିନ୍ତୁ ବିଦ୍ରୋହୀ ଗୋଷ୍ଠୀ ପାଇଁ ହେଉ କିମ୍ବା ଅନ୍ତର୍ଜାତୀୟ ଚାପ ପାଇଁ ହେଉ ନୂଆ ସରକାର ଗଠନରେ ବିଳମ୍ବ ହେଉଛି। ଇତି ମଧ୍ୟରେ ଖବର ମିଳିଛି ଯେ, ତାଲିବାନ ଗୋଷ୍ଠୀରେ ଅନ୍ତଃକନ୍ଦଳ ଘନେଇଛି। ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ଗୋଷ୍ଠୀର କିଛି ସଦସ୍ୟ ଏବଂ ହକ୍କାନୀ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଗତ ଶୁକ୍ରବାର ରାତିରେ ପ୍ରବଳ ସଂଘର୍ଷ ହୋଇଛି।
ଏହି ସଂଘର୍ଷ ଯୋଗୁଁ ବରାଦର ଆହତ ହୋଇଥିବା ଜଣାପଡ଼ିଛି। ଏହି କାରଣ ଯୋଗୁଁ ପାକିସ୍ତାନ ଆଇଏସ୍ଆଇ ମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ ଫୈଜ ହମିଦ କାବୁଲକୁ ଜରୁରୀ ଗସ୍ତରେ ଯାଇଥିଲେ। ଫଳରେ ଶନିବାର ନୂଆ ସରକାର ଗଠନ କରିବାକୁ ଘୋଷଣା କରିଥିବା ତାଲିବାନ ପୁଣି କିଛିଦିନ ପାଇଁ ସରକାର ଗଠନ ବିଳମ୍ବ କରିଥିଲା। ମିଳିଥିବା ସୂଚନାନୁଯାୟୀ ହିବାତୁଲ୍ଲା ଅଖୁନ୍ଦଜାଦା ଆଫଗାନର ସର୍ବୋଚ୍ଚ ନେତା ହେବେ। କିନ୍ତୁ ହକ୍କାନୀ ନେଟ୍ୱର୍କ ଏବଂ ଅନ୍ୟ ତାଲିବାନ ମେଣ୍ଟର ସଦସ୍ୟମାନେ ଅଖୁନ୍ଦଜାଦାଙ୍କୁ ସେମାନଙ୍କ ନେତାଭାବେ ଗ୍ରହଣ କରିପାରୁନାହାନ୍ତି। ଏହି ବିବାଦର ସମାଧାନ ହୋଇପାରୁନି। ତାଲିବାନର ବରିଷ୍ଠ ନେତାମାନେ ଘନ ଘନ ବୈଠକ କରୁଥିଲେ ସୁଦ୍ଧା ଏହି ବିବାଦର ସମାଧାନ ହୋଇପାରିନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/64fshsf87hsf4hsf4hsf32h1sfh465sf4hsffhfh.jpg)