ପହିଲାରୁ ଅନଲକ୍‌-୪ ଚାଲିବ ମେଟ୍ରୋ,‌ ଖୋଲିବନି ସ୍କୁଲ!

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ସରକାର ଗତ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ୍ ‌ଆରମ୍ଭ କରିଥିଲେ। ଏହାପରେ ଜୁନ୍‌ରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲକଡାଉନ ସମୟରେ ସରକାର ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଥିବାବେଳେ ଅନଲକ୍‌ ଅବଧିରେ ଉଭୟ ଜୀବନ ଓ ଜୀବିକାକୁ ଗୁରୁତ୍ବ ଦେଉଛନ୍ତି। ବର୍ତ୍ତମାନ ଦେଶରେ ଅନଲକ-୩ କାର୍ଯ୍ୟକାରୀ ହେଉଥିବାବେଳେ ସେପ୍ଟେମ୍ବର ପହିଲାରୁ ଅନଲକ୍‌-୪ ଆରମ୍ଭ ହେବ। କରୋନା ସଂକ୍ରମଣ ଏବେ ଦେଶରେ ଶୀର୍ଷରେ ଥିବାବେଳେ ସରକାର ଅନଲକ୍‌-୪ରେ କ’ଣ ଖୋଲିବେ ଏବଂ କ’ଣ ବନ୍ଦ ରଖିବେ ତାହା ଉପରେ ଦେଶବାସୀଙ୍କ ନଜର ରହିଛି। ତେବେ ଅନଲକ୍‌-୪ରେ ସରକାର ମେଟ୍ରୋ ସେବାକୁ ଅନୁମତି ଦେଇପାରନ୍ତି।

ନଗର ଉନ୍ନୟନ ମନ୍ତ୍ରାଳୟ, ‌ମହାନଗର ନିଗମ, ମେଟ୍ରୋ ରେଲ୍ କର୍ପୋରେସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ଏ ନେଇ କଥାବାର୍ତ୍ତା ଚାଲିଛି ବୋଲି ଜଣାଯାଇଛି। ଚଳିତ ସପ୍ତାହରେ ଏ ନେଇ ନିର୍ଦ୍ଦେଶାବଳି ଜାରି ହେବାର ସମ୍ଭାବନା ରହିଛି। ଟୋକନ ପରିବର୍ତ୍ତେ କାର୍ଡରେ ମେଟ୍ରୋ ଟେନରେ ଯାତ୍ରା ସୁବିଧା ଉପଲବ୍ଧ କରାଯାଇପାରେ। ଉଲ୍ଲେଖଯୋଗ୍ୟ, ଦେଶରେ ମାର୍ଚ୍ଚ ୨୨ ତାରିଖରୁ ମେଟ୍ରୋ ସେବା ବନ୍ଦ ରହିଛି। ଅନ୍ୟପକ୍ଷରେ ଦେଶରେ ସ୍କୁଲ ଓ କଲେଜ ବନ୍ଦ ରହିପାରେ। କିନ୍ତୁ ସରକାାର ଆଇଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠାନଗୁଡ଼ିକୁ ଖୋଲିବା ଉପରେ ବିଚାର କରୁଛନ୍ତି। ସେହିଭଳି ସିନେମା ହଲ୍ ଓ ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିବ।

ସମ୍ବନ୍ଧିତ ଖବର