ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସ୍ୱପ୍ନର ଅନ୍ତ ଘଟିଛି। ତେଲେଙ୍ଗନାକୁ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ତେଲେଙ୍ଗାନାବାସୀ ଗତ ଏକ ଦଶନ୍ଧି ଧରି ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ। ଫଳରେ ଏକ ଦଶନ୍ଧି ଧରି କେ ଚନ୍ଦ୍ରଶେଖର ରାଓଙ୍କୁ ଲୋକଙ୍କ ନିରବଚ୍ଛିନ୍ନ ସମର୍ଥନ ମିଳିଥିଲା।
ତେବେ, କେ ଚନ୍ଦ୍ରଶେଖର ରାଓଙ୍କ ତାଙ୍କ ରାଜନୈତିକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଭାରତ ରାଷ୍ଟ୍ର ସମିତି ନାମରେ ନାମିତ କରି ଦେଶରେ ତୃତୀୟ ମୋର୍ଚ୍ଚା ଗଠନ ସହ ଜାତୀୟ ରାଜନୀତିରେ ପାଦ ଥାପିବା ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରିବା ପରେ ରାଜ୍ୟବାସୀ ତାଙ୍କ ଉପରୁ ଆସ୍ଥା ହରାଇଥିଲେ। ଯାହାର ପରିଣାମ ଏବେ କେ ଚନ୍ଦ୍ରଶେଖର ରାଓଙ୍କୁ ଭୋଗିବା ପାଇଁ ପଡ଼ିଛି।
ଏବେ ତେଲେଙ୍ଗାନା ଏକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି। ଶ୍ରୀ ରାଓ ଏବଂ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଯୋଗୁଁ ମନୋଭାବରେ ପରିବର୍ତ୍ତନ ଘଟିଛି। ମଝିରେ ଶ୍ରୀ ରାଓ ଓ ତାଙ୍କ ଦଳ ଏନଡିଏରେ ସାମିଲ ହେବାକୁ ଚେଷ୍ଟା କରିଥିଲେ। ହେଲେ, ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ପରେ ରାଜ୍ୟବାସୀ ତାଙ୍କୁ ଆଉ ବିଶ୍ୱାସକୁ ନେଇ ନଥିଲେ।
ଫଳରେ ରାଜ୍ୟର ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଶ୍ରୀ ରାଓ ଚଳିତ ନିର୍ବାଚନରେ ଲଢୁଥିବା ଦୁଇଟି ଆସନ ମଧ୍ୟରୁ ଗୋଟିଏ ଆସନରୁ ହାରି ଯାଇଥିବା ବେଳେ ତାଙ୍କ ଗଡ଼ ଗଜୱେଲ ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି। କାମାରେଡ୍ଡୀ ନିର୍ବାଚନ ମଣ୍ଡଳୀରେ ସେ ଯୁବ ପ୍ରଦେଶ କଂଗ୍ରେସ ମୁଖ୍ୟ ରେବନ୍ତ ରେଡ୍ଡୀଙ୍କ ଠାରୁ ହାରି ଯାଇଛନ୍ତି।
ତେଲେଙ୍ଗାନାରେ ଶୋଚନୀୟ ପରାଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ‘ଜନମତକୁ ଆମେ ସମ୍ମାନ କରୁଛୁ’।
୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଆର୍ଏସ୍: ୩୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୪, ବିଜେପି: ୮ ଓ ଅନ୍ୟାନ୍ୟ:୮ଟି ଆସନରେ ବିଜୟୀ ହୋଇଛନ୍ତି। ତେଲେଙ୍ଗାନାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୬୦।