ଖାଦ୍ୟ ସାମଗ୍ରୀକୁ ‘ଫ୍ରେସ୍‌’ ଓ ‘ନେଚୁରାଲ୍‌’ ଦର୍ଶାଉଥିବା ବିଭ୍ରାନ୍ତିକର ବିଜ୍ଞାପନ ଉପରେ କଟକଣା ଲାଗୁ କରିବ ‘ଏଫ୍‌ଏସ୍‌ଏସ୍‌ଏଆଇ’

ନୂଆଦିଲ୍ଲୀ: ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ ଉପରେ ମିଛରେ ଛାପା ଯାଉଥିବା ‘ଫ୍ରେସ୍‌’, ‘ନେଚୁରାଲ୍‌’, ‘ଟ୍ରାଡିସ୍‌ନାଲ୍‌’ ଆଦି ଲେବେଲ୍‌ ‘ଏଫ୍‌ଏସ୍‌ଏସ୍‌ଏଆଇ’ଙ୍କ (ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ) ଦୃଷ୍ଟିକୁ ଆସିଛି। ଏହା ଉପରେ କଟକଣା ଲାଗୁ କରିବା ପାଇଁ ‘ଏଫ୍‌ଏସ୍‌ଏସ୍‌ଏଆଇ’ ଏକ ବିଜ୍ଞପ୍ତି ପ୍ରସ୍ତୁତ କରୁଛି।

‘ଏଫ୍‌ଏସ୍‌ଏସ୍‌ଏଆଇ‘ର ବିଜ୍ଞାପନ ଏବଂ ଦାବି ବିଭାଗର ନିୟମ ଅନୁସାରେ କେବଳ ପ୍ରକ୍ରିୟାକରଣ ହୋଇ ନ ଥିବା ଖାଦ୍ୟ ସମାଗ୍ରୀ ପ୍ୟାକେଟ୍‌ରେ ‘ଫ୍ରେସ୍‌’ ଲେବେଲ୍‌ ଲଗାଯାଇ ପାରିବ। ଅବଶ୍ୟ ସେ ପ୍ୟାକେଟ୍‌ରେ ଥିବା ସାମଗ୍ରୀକୁ ଖାଇବା ଉପଯୋଗୀ କରାଇବାକୁ ଧୁଆଧୋଇ, ଚୋପା ଛଡ଼ାଇବା ଭଳି ପ୍ରକ୍ରିୟାକରଣ କରାଯାଇଥିବା ଆବଶ୍ୟକ। କିନ୍ତୁ, ତାହାର ମୌଳିକ ବୈଶିଷ୍ଟ୍ୟ ବଦଳା ଯାଇ ନ ଥିବ।

‘ଏଫ୍‌ଏସ୍‌ଏସ୍‌ଏଆଇ’ର ସିଇଓ ପଓ୍ଵନ୍‌ ଅଗ୍ରଓ୍ଵାଲ୍‌ କହିଛନ୍ତି: ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଦାବି ସବୁକୁ ବନ୍ଦ କରାଇବାକୁ ଆମେ ଏକ ବିଜ୍ଞପ୍ତି ପ୍ରସ୍ତୁତି କରୁଛୁ। ‘ପ୍ରାକୃତିକ ଏବଂ ତାଜା’ ଖାଦ୍ୟ ନାଁରେ ଲୋକମାନଙ୍କୁ ଭୁଅାଁବୁଲା ଯାଉଥିବା କାରଣରୁ କିଛି ଦିନ ହେବ ବିଜ୍ଞପ୍ତି ପ୍ରସ୍ତୁତି ଉପରେ ଯୋଜନା ଚାଲିଥିଲା।

ରାସାୟନିକ ପଦାର୍ଥ ଦିଆଯାଇ ପ୍ୟାକେଟ୍‌ରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ କୌଣସିମତେ ‘ଫ୍ରେସ୍‌ଲି ଷ୍ଟୋର୍‌ଡ୍‌’ କିଂବା ‘ଫ୍ରେସ୍‌ଲି ପ୍ୟାକ୍‌ଡ୍‌’ ବୋଲି ଛାପା ଯାଇପାରିବ ନାହିଁ ବୋଲି ଉକ୍ତ ଡ୍ରାଫ୍‌ଟ୍‌ ନୋଟିଫିକେସନ୍‌ରେ ନିୟମ ରହିଛି।

କୌଣସି ଜିନିଷ ମିଶା ନ ଯାଇ କେବଳ ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ଏବଂ ଖନିଜ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟ୍‌ରେ ‘ନେଚୁରାଲ୍‌’ ଛାପା ଯାଇପାରିବ।

ମଣିଷଙ୍କ ଖାଇବା ଉପଯୋଗୀ କରିବାକୁ ବିନା ରାସାୟନିକ ପଦାର୍ଥ ମିଶାଇ କୌଣସି ଖାଦ୍ୟକୁ ପୋଡ଼ିବା, ଉଷୁମ ପାଣିରେ ପକାଇବା, ଶୁଖାଇବା, ହିମିକୃତ ଏବଂ ଅନ୍ୟାନ୍ୟ ପଦ୍ଧତିରେ ସଂରକ୍ଷଣ କରିବା ଭଳି ପ୍ରକ୍ରିୟାକରଣ ପାଇଁ ଅନୁମତି ଦିଆଯିବ। କିନ୍ତୁ, କୌଣସି ପରିସ୍ଥିତିରେ ସେଥିରେ ରାସାୟନିକ ପଦାର୍ଥ ବା ଅନ୍ୟ କୌଣସି ପ୍ରକାର ସଂରକ୍ଷକ ମିଶା ଯିବାକୁ ଅନୁମତି ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର