ନୂଆଦିଲ୍ଲୀ: ବିଶ୍ବରେ ଆତଙ୍କବାଦୀ ସଂସ୍ଥା ଗୁଡ଼ିକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ପ୍ୟାରିସଭିତ୍ତିକ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଏଟିଏଫ୍)ଠାରୁ ପାକିସ୍ତାନକୁ କୌଣସି ଆଶ୍ବସ୍ତି ମିଳିପାରି ନାହିଁ। ଆସନ୍ତା ଜୁନ୍ ପର୍ଯ୍ୟନ୍ତ ପାକିସ୍ତାନ ଉକ୍ତ ସଂସ୍ଥାର ‘ଗ୍ରେ ଲିଷ୍ଟ’ରେ ରହିବ ବୋଲି ଏଫଏଟିଏଫ୍ର ଶୀର୍ଷ ଅଧିବେଶନରେ ନିଷ୍ପତ୍ତି ନିଆଯାଇଛି। ଏଲ୍ଇଟି ଏବଂ ଜେଇଏମ୍ ଭଳି ଆତଙ୍କବାଦୀ ସଂସ୍ଥାକୁ ଅର୍ଥ ପ୍ରଦାନକୁ ରୋକିବାରେ ବିଫଳ ହେଲେ ପାକିସ୍ତାନ ବିରୋଧରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଫଏଟିଏଫ୍ ପାକିସ୍ତାନକୁ ସତର୍କ କରାଇ ଦେଇଛି। ଫଳରେ ଏହି ଦେଶକୁ କଳାତାଲିକାଭୁକ୍ତ କରି ଦିଆଯିବାର ଆଶଙ୍କା ରହିଛି।
ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣକୁ ରୋକିବା ଲାଗି ଦିଆଯାଇଥିବା ୨୭ଟି କାର୍ଯ୍ୟ ମଧ୍ୟରୁ ପାକିସ୍ତାନ ଅଳ୍ପ କେତୋଟିକୁ ପୂରଣ କରିଛି। ତେଣୁ ଜୁନ୍ ସୁଦ୍ଧା ଏଫ୍ଏଟିଏଫ୍ ପକ୍ଷରୁ ଦିଆଯାଇଥିବା ସମସ୍ତ କାର୍ଯ୍ୟକୁ ଏହି ଦେଶକୁ ସମ୍ପାଦନ କରିବାକୁ ହେବ। ‘ଗ୍ରେ ଲିଷ୍ଟ’ରେ ରହିବା କାରଣରୁ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ , ଏସୀୟ ବିକାଶ ବ୍ୟାଙ୍କ ଏବଂ ୟୁରୋପୀୟ ସଂଘ ଭଳି ବିଶ୍ବସ୍ତରୀୟ ସଂସ୍ଥାଠାରୁ ପାଣ୍ଠି ମିଳିବା କଷ୍ଟକର ହୋଇପଡ଼ିବ। ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଅର୍ଥ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିବ। ପାକିସ୍ତାନ ଯଦି ଏଫ୍ଏଟିଏଫ୍ର ନିର୍ଦ୍ଦେଶକୁ ପାଳନ କରିବାରେ ବିଫଳ ହୁଏ ତା’ହେଲେ ଏହାକୁ କଳାତାଲିକାଭୁକ୍ତ କରାଯିବାର ଯଥେଷ୍ଟ ଆଶଙ୍କା ରହିଛି। ଇରାନ ଏବଂ ଉତ୍ତର କୋରିଆ ସମେତ ପାକିସ୍ତାନକୁ ଏହି ତାଲିକାରେ ରଖାଯିବ।
ପାକିସ୍ତାନ ସରକାର ଏଲ୍ଇଟି, ଜେଇଏମ୍, ହିଜବୁଲ୍ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନକୁ ନିରନ୍ତର ଆର୍ଥିକ ସହାୟତା ଯୋଗାଇ ଆସୁଥିବାରୁ ଏହି ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ବାରମ୍ବାର ଦାବି କରି ଆସୁଛି। ଏଫ୍ଏଟିଏଫ୍ ବୈଠକରେ ମାଲେସିଆଠାରୁ ପାକିସ୍ତାନ ଦୃଢ଼ ସମର୍ଥନ ହାସଲ କରିଥିଲେ ମଧ୍ୟ ପାଶ୍ଚତ୍ୟ ଦେଶଗୁଡ଼ିକ ଉକ୍ତ ଦେଶର କାର୍ଯ୍ୟକୁ ବିଶ୍ବାସକୁ ନେଇପାରି ନାହାନ୍ତି। ଏଥିସହିତ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ପାକିସ୍ତାନ କିଭଳି ପାଣ୍ଠି ଯୋଗାଇ ଆସୁଛି ସେ ନେଇ ଭାରତ ବଳିଷ୍ଠ ତଥ୍ୟ ପ୍ରମାଣ ଉପସ୍ଥାପନ କରିବାରୁ ଏଭଳି ହୋଇପାରିଛି। ପାକିସ୍ତାନକୁ ‘ଗ୍ରେ ଲିଷ୍ଟ’ରେ ରଖିବା ପାଇଁ ଏଫ୍ଏଟିଏଫ୍ର ଏକ ଉପଗୋଷ୍ଠୀ ଗତ ତିନି ଦିନ ପୂର୍ବେ ରିପୋର୍ଟ ଦେଇଥିବାବେଳେ ଏଫ୍ଏଟିଏଫ୍ ଆଜି ଏହି ନିଷ୍ପତ୍ତି ନେଇଛି।