ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ : ଦରହ୍ରାସ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଆଲୋଚନା କରିବା ଉଚିତ୍

ନୂଆଦିଲ୍ଲୀ: ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏଭଳି ଭାବେ ତୈଳଦର ବୃଦ୍ଧି ହେବା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ଏହି ସମସ୍ୟାର ସମାଧାନ ପାଇଁ କେବଳ ଦର ହ୍ରାସ ହିଁ ଏକମାତ୍ର ବିକଳ୍ପ। ଉପଭୋକ୍ତା ସ୍ତରରେ ଦରହ୍ରାସ ବ୍ୟତୀତ ଅନ୍ୟ କିଛି କରି ଲୋକମାନଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କିଭଳି ଖୁଚୁରା ଉପଭୋକ୍ତାଙ୍କୁ କମ ଦାମରେ ତେଲ ଯୋଗାଇ ଦେଇ ହେବ ସେ ଦିଗରେ ଆଲୋଚନା କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି।

ଏହାସହ ସେ କହିଛନ୍ତି କି ଓପିଇସି (ଅର୍ଗାନାଇଜେସନ୍ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ୍)  ଦେଶ ସମୂହ ଇନ୍ଧନ ଉତ୍ପାଦନକୁ ନେଇ ଯେଉଁ ଅନୁମାନ କରୁଥିଲେ ତାହା ହ୍ରାସ ପାଇବାରେ ଲାଗିଛି, ଯାହାକି ଚିନ୍ତାର ବିଷୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ତେଲର ଦାମ ସରକାରଙ୍କ ନିୟନ୍ତ୍ରଣରେ ନଥିବା ବେଳେ ଏହାକୁ ଟେକନିକ୍ ଆଧାରରେ ମୁକ୍ତ କରାଯାଇଛି । ଫଳରେ ତୈଳ କମ୍ପାନୀମାନେ କଚ୍ଚା ତେଲ କିଣି ତାହାକୁ ବିଶୋଧିତ କରି ବିକ୍ରି କରୁଛନ୍ତି । ତେଣୁ ଏହାର ଦାମ ନିୟନ୍ତ୍ରଣ ସେମାନଙ୍କ ଉପରେ ମଧ୍ୟ ନିର୍ଭର କରୁଛି ।

ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଆକାଶଛୁଆଁ ହୋଇଛି। ଏହାକୁ ନେଇ କେନ୍ଦ୍ରସରକାର ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ଶନିବାର ଦିନ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ପାର କରିଛି । ଏହାସହ ଡିଜେଲ ଲିଟର ପିଛା ବି ୮୮ ଟଙ୍କାରେ ପହଂଚିଛି । ସାର୍ବଜନୀକସ୍ତରରେ ଶନିବାର ଦିନ ତୈଳ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ଦାମ ୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ଦାମ ୩୭ ପଇସା ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର