ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ମୂଲ୍ୟ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ସରକାର ଆଜି ବାଧ୍ୟ ହୋଇ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ଉତ୍ପାଦନ ଶୁଳ୍କ ହ୍ରାସ ଅକ୍ଟୋବର ୪ ତାରିଖରୁ କାର୍ଯ୍ୟକ୍ଷମ ହେବ। ଏଥିଯୋଗୁଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମିବ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବରୁ ଗ୍ରାହକଙ୍କୁ ରିହାତି ଦେବା ଲାଗି ସରକାର ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କରେ ଏହି ହ୍ରାସ ଘୋଷଣା କରିଛନ୍ତି। ଉତ୍ପାଦନ ଶୁଳ୍କ ହ୍ରାସ ଯୋଗୁଁ ସରକାର ଗୋଟିଏ ଆର୍ଥିକ ବର୍ଷରେ ୨୬ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ଏବଂ ଚଳିତ ଆର୍ଥିକବର୍ଷର ଅବଶିଷ୍ଟ ସମୟ ମଧ୍ୟରେ ୧୩ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଶୁଳ୍କ ହ୍ରାସ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୨୬ ପ୍ରତିଶତ ମୂଲ୍ୟଯୁକ୍ତ ଟିକସ ଆଦାୟ କରାଯାଉଛି। ଉତ୍ପାଦନ ଶୁଳ୍କ ୨ ଟଙ୍କା ହ୍ରାସ କରାଯାଇଥିବାରୁ ଆନୁପାତିକ ଭାବେ ମୂଲ୍ୟ ଯୁକ୍ତ ଟିକସ ବା ଭାଟ୍ ୫୨ ପଇସା କମିପାରେ ବୋଲି ଅନୁମାନ କରାଯାଉଛି। ଉତ୍ପାଦନ ଶୁଳ୍କ ହ୍ରାସ ପାଇବା ଫଳରେ ଓଡ଼ିଶାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପାଖାପାଖି ଅଢ଼େଇ ଟଙ୍କା ହ୍ରାସ ଘଟିବା ସମ୍ଭାବନା ରହିଛି ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ଆସୋସିଏସନ୍ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ମଙ୍ଗଳବାର ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୯ ଟଙ୍କା ୭୫ ପଇସା ଥିବାବେଳେ ଡିଜେଲ ମୂଲ୍ୟ ୬୩ ଟଙ୍କା ୪୨ ପଇସା ରହିଛି।
କମିବ ପେଟ୍ରୋଲ, ଡିଜେଲ ଦର
ଉତ୍ପାଦନ ଶୁଳ୍କ ୨ ଟଙ୍କା କମିଲା
/sambad/media/post_attachments/wp-content/uploads/2017/10/fp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)