ସିଏରା ଲିଓନ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ଚୋରି ବେଳେ ବିସ୍ଫୋରଣ, ୯୧ ମୃତ

ଫ୍ରିଟାଉନ : ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନର ରାଜଧାନୀ ଫ୍ରିଟାଉନ ନିକଟରେ ଥିବା ଓ୍ବେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ପ୍ରାୟ ୯୧ ଜଣ ମୃତ୍ୟୁବରଣ କରିଛନ୍ତି ଓ ଶତାଧିକ ଲୋକ ଗୁରୁତରଭାବେ ଆହତ ହୋଇଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶୁକ୍ରବାର ରାତିରେ ଓ୍ବେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ତୈଳ ଟ୍ୟାଙ୍କରରୁ ତେଲ ନିର୍ଗତ ହେବା ପରେ ଆଖପାଖର ଲୋକମାନେ ତେଲ ଚୋରି ପାଇଁ ସେଠାରେ ପହଞ୍ଚିଯାଇଥିଲେ । ଶତାଧିକ ଲୋକ ତେଲ ଚୋରି କରୁଥିବାବେଳେ ଟ୍ୟାଙ୍କରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ଏପର୍ୟ୍ୟନ୍ତ ପ୍ରାୟ ୯୧ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ମିଲିଟାରି ହସପିଟାଲ ଓ ଅନ୍ୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମାତ୍ର ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖର କେତେକ ଘର ଜଳିଯାଇଛି । ଏପରିକି ବିସ୍ଫୋରଣ ସମୟରେ ରାସ୍ତାରେ ଯାଉଥିବା କେତେକ କାର ଜଳିଯାଇଛି ଓ ସେଥିରେ ଥିବା ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ୟ଼୍ୟ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର