ଯେକୌଣସି ସମୟରେ ବିଜୟ ମାଲ୍ୟାକୁ ଭାରତ ଅଣାଯାଇପାରେ !

ଲଣ୍ଡନ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଯେ କୌଣସି ସମୟରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ଏ ନେଇ ଆଇନଗତ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଯାଇଛି, ଏଣୁ ଆଉ କୌଣସି ପ୍ରତିବନ୍ଧକ ନଥିବା ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି । ଗତ ମେ ୧୪ ତାରିଖରେ ବ୍ରିଟିଶ ସୁପ୍ରିମ କୋର୍ଟ ପ୍ରତ୍ୟାର୍ପଣ ବିରୁଦ୍ଧରେ ମାଲ୍ୟା କରିଥିବା ଆବେଦନକୁ ଖାରଜ କରିଦେଇଥିଲେ ।

ଏଣୁ ମାଲ୍ୟାଙ୍କ ପାଖରେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ । ଏଣୁ ତାଙ୍କୁ ଯେକୌଣସି ସମୟରେ ଭାରତକୁ ଅଣାଯାଇପାରେ ବୋଲି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି)ର ଜଣେ ଅଧିକାରୀ କହିଛନ୍ତି । ତେବେ କେତେ ତାରିଖରେ ତାଙ୍କୁ ଭାରତ ଅଣାଯିବ ସେ ସଂପର୍କରେ ସେ କିଛି କହିନାହାନ୍ତି । ସିବିଆଇ ଓ ଇଡିର ଏକ ମିଳିତ ଦଳ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ଲଣ୍ଡନରେ ମାମଲା ଲଢୁଥିଲା । ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟାର୍ପଣ ହେବା ପରେ ପ୍ରଥମେ ସିବିଆଇ ମାଲ୍ୟାଙ୍କୁ ହାଜତକୁ ନେବ । କାରଣ ସିବିଆଇ ପ୍ରଥମେ ମାଲ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା ।

ଦେବାଳିଆ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ପାଇଁ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରି ମାଲ୍ୟା ଭାରତରୁ ଫେରାର ହୋଇଯାଇଥିଲା । ଏହାପରେ ବ୍ୟାଙ୍କମାନେ ସିବିଆଇ ଓ ଇଡିରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର