ନୂଆଦିଲ୍ଲୀ: ଆଜି ‘ଫୁଲ୍ ଡ୍ରେସ୍ ରିହର୍ସାଲ’ରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଜୟ ଚୌକ, କର୍ତ୍ତବ୍ୟପଥ ଦେଇ ଅତିକ୍ରମ କରିଥିବା ରାଜ୍ୟ ମେଢ଼ ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ, ମହିଳା ସଶକ୍ତିକରଣକୁ ବଳିଷ୍ଠ ଭାବେ ଉପସ୍ଥାପନ କରିଛି। ମେଢ଼ରେ ପଟ୍ଟଚିତ୍ରର ଛାପ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି।
ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜର ଆର୍ଥିକ ଅଭିବୃଦ୍ଧି ସହ ନିଜକୁ ସ୍ବାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ମେଢ଼ ଜରିଆରେ ତାହାର ଝଲକ ଦେଖିବାକୁ ମିଳିଛି। ମେଢ଼ର ସମ୍ମୁଖ ଭାଗରେ ଥିବା ହାତୀର ଦୁଇ ପାର୍ଶ୍ବରେ ଲାଗିଥିବା ଚକ୍ର ବୁଲିବା ସହିତ ମଝିରେ ଲାଗିଥିବା ଛତ୍ରୀ ମଧ୍ୟ ବୁଲୁଛି। ମେଢ଼ର ଦୁଇ ପାର୍ଶ୍ବରେ ମହିଳା ଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଅଗ୍ରସର ହୋଇଥିଲେ। ଦୀର୍ଘ ତିନି ବର୍ଷ ପରେ ଦିଲ୍ଲୀର କର୍ତ୍ତବ୍ୟପଥ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିଛି। ପ୍ରଖ୍ୟାତ ଶିଳ୍ପୀ ଗଜେନ୍ଦ୍ର ମହାରଣାଙ୍କ ତତ୍ତ୍ବାବଧାନରେ ଇମାଜେରି ସଂସ୍ଥାର କୀର୍ତ୍ତିକିଶୋର ମହାରଣାଙ୍କ ନେତୃତ୍ବରେ ୨୬ ଜଣ କାରିଗର ପ୍ରଜ୍ଞାପନ ମେଢ଼କୁ ସୁନ୍ଦର ଭାବେ ପ୍ରସ୍ତୁତ କରିଛନ୍ତି।