ବେଙ୍ଗାଲୁରୁ: ଅନେକ ସଂଘର୍ଷ ପରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ସକ୍ଷମ ହୋଇଛି। ସମସ୍ତ ପଦକ୍ଷେପ ପୂର୍ବରୁ ଯୋଜନା କରି କଂଗ୍ରେସ ଶେଷରେ କର୍ଣ୍ଣାଟକରେ କ୍ଷମତା ଦଖଲର ଶେଷ ପ୍ରତିବନ୍ଧକକୁ ପାର୍ କରିଛି। ତେବେ କ’ଣ ସବୁ ରହିଥିଲା କୌଶଳ ଯାହାକି ବିଜେପିର ସବୁ ପ୍ରୟାସକୁ ଭଣ୍ଡୁର କରିବାରେ ସଫଳ ହେଲା-
Sambad is now on WhatsApp
Join and get latest news updates delivered to you via WhatsApp
ତତ୍କ୍ଷଣାତ୍ ରାଜନୈତିକ ପଦକ୍ଷେପ: ଗତ ୧୫ ତାରିଖ ଦିନ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଅଧା ହେବା ସମୟରୁ ହିଁ ରାଜ୍ୟରେ କଂଗ୍ରେସର ସ୍ଥିତି କ’ଣ ରହିବ ତାହା ସ୍ପଷ୍ଟ ହୋଇଯାଇଥିଲା। ଗୋଆ ଓ ମଣିପୁରରେ ସବୁଠୁ ବଡ଼ ଦଳ ହୋଇ ମଧ୍ୟ କଂଗ୍ରେସ ଶାସନ ଗାଦି ଯେଉଁ କାରଣ ପାଇଁ ହରାଇଥିଲା, ତାହାର ଆଉ ପୁନରାବୃତ୍ତି କଲାନାହିଁ। ଫଳ ଘୋଷଣା ହେବା ପୂର୍ବରୁ ହିଁ ବିଜେପିର ବାଟ ଓଗାଳିବା ସହ କ୍ଷମତାରେ ନିଜକୁ ସାମିଲ ରଖିବାକୁ ଜେଡିଏସ୍ ସହ ମେଣ୍ଟ ଘୋଷଣା କଲା। ଯେଭଳି ଭାବେ କୌଣସି ବିଧାୟକ ଏପଟ ସେପଟ ନହୁଅନ୍ତି ସେଥିପାଇଁ ତତ୍କାଳ ରଣନୀତି ପ୍ରସ୍ତୁତ କରାଯାଇଥିଲା।
ନ୍ୟାୟପାଳିକାର ପ୍ରାଧାନ୍ୟତା: ମାତ୍ର ୭୨ଘଣ୍ଟା ମଧ୍ୟରେ ଦୁଇଥର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା କଂଗ୍ରେସ ବିଜୟର ଆଉ ଏକ ପ୍ରମୁଖ କାରଣ। ଗୁରୁବାର ରାଜ୍ୟପାଳଙ୍କ ସରକାର ଗଢିବା ଆମନ୍ତ୍ରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ବେଳେ ଶୁକ୍ରବାର ପୁଣି ଅସ୍ଥାୟୀ ବାଚସ୍ପତି କେ.ଜି.ବୋପେୟାଙ୍କ ନିଯୁକ୍ତିକୁ ବିରୋଧ କରିବା ସହ ଆସ୍ଥା ଭୋଟ କିଭଳି ଭାବେ ଠିକ୍ ଢଙ୍ଗରେ ହେବ ସେନେଇ ଆବେଦନ କରିଥିଲା। ୧୭ ତାରିଖ ଦିନ ସାରା ରାତିି କୋର୍ଟ କଂଗ୍ରେସର ଏହି ଆବଦେନର ଶୁଣାଣି କରି ୟେଦୁରପ୍ପାଙ୍କ ଶପଥ ଗ୍ରହଣରେ ରୋକ୍ ଲାଗିପାରିବନି ବୋଲି କହିଥିଲେ। କିନ୍ତୁ ପରେ ଶନିବାର ଦିନ ହିଁ ଆସ୍ଥା ଭୋଟ କରିବାକୁ ନିର୍ଦ୍ଦେଶ ଦେଲେ, ଯାହା କି ବିଜେପି ପାଇଁ ଅଡ଼ୁଆ ସାଜିଲା।
ଦଳୀୟ ନେତୃତ୍ୱକୁ ଦୃଢ ରଖିବା: ବିଜେପି ଭୟରେ କଂଗ୍ରେସ ବିଧାୟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲା। କଂଗ୍ରେସ ନେତା ଡି.କେ.ଶିବ କୁମାର ମଧ୍ୟ ନିଖୋଜ ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ନିଷ୍ଠାପର ଉଦ୍ୟମ କରି ସଫଳ ହୋଇଥିଲେ। ବିଜେପି ବିରୋଧରେ ଲଗାତାର ଅଭିଯୋଗ: ରାଜ୍ୟରେ ବିଜେପି ସରକାର ଗଢିବା ନେଇ ଏକ ପ୍ରକାର ସ୍ଥିର ହୋଇଯିବା ପରଠାରୁ ହିଁ ବିଜେପି ବିରୋଧରେ କଂଗ୍ରେସ ନେତାମାନେ ତୁହାକୁ ତୁହା ଅଭିଯୋଗ କରିଚାଲିଥିଲେ। ଏହାଦ୍ୱାରା ଦଳୀୟ ଅସନ୍ତୁଷ୍ଟ ବିଧାୟକଙ୍କ ମଧ୍ୟରେ ବି ଚାପ ସୃଷ୍ଟି ହୋଇଥିଲା ଏବଂ ସେମାନେ ବିଜେପି ନେତାଙ୍କ ସହ ଯୋଗାଯୋଗ କରିପାରିନଥିଲେ। ବିଧାୟକଙ୍କ ମୋବାଇଲରେ ଏକ ସ୍ୱତନ୍ତ୍ର ଆପ ଡାଉନଲୋଡ କରି ସେମାନଙ୍କ ନିକଟକୁ ଆସୁଥିବା ସମସ୍ତ ଫୋନ କଲ ରେକର୍ଡ କରାଗଲା। ଯାହା ଫଳରେ କଂଗ୍ରେସ ଦୁଇ ଦୁଇଟି ଅଡିଓ ଟେପ୍ ରିଲିଜ କରି ବିଜେପିକୁ ଘେରିଥିଲା।