ଜାଣନ୍ତୁ ରକ୍ତର ହୋଲି ଖେଳୁଥିବା ମୋଷ୍ଟ୍ ୱାଣ୍ଟେଡ୍ ବିକାଶ ଦୁବେର ପୂରା କାହାଣୀ; ଛୋଟବେଳୁ ଦେଖୁଥିଲା ଗ୍ୟାଙ୍ଗ ଷ୍ଟାର ହେବାର ସ୍ବପ୍ନ !

ଦେଶର ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେ ଉର୍ଫ ବିକାଶ ପଣ୍ଡିତ ଗିରଫ । ମଧ୍ୟପ୍ରଦେଶ ଉଜ୍ଜୈନର ପ୍ରସିଦ୍ଧ ମହାକାଳ ମନ୍ଦିର ପାଖରୁ ପୋଲିସ ତାକୁ ଗିରଫ କରିଛି । ଗତ ଜୁଲାଇ ୩ରେ ତାକୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରକୁ ଆଖିବୁଜା ଗୁଳିଚାଳନା କରି ୮ ଜଣ ପୋଲିସଙ୍କୁ ହତ୍ୟା କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ଡିଏସପି ପାହ୍ୟାର ଅଫିସର ମଧ୍ୟ ଥିଲେ । ଦେଶର ମୋଷ୍ଟ ୱାଣ୍ଟେଡ କହିବା ପଛରେ କାରଣ ହେଲା ତାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ(ଯେଉଁମାନେ ଟେରୋରିଷ୍ଟ ମାମଲା ବୁଝନ୍ତି) ସେମାନଙ୍କ ସହ ରାଜସ୍ଥାନ, ହରିଆନା ଏବଂ ମଧ୍ୟପ୍ରଦେଶ  ପୋଲିସଙ୍କୁ ମଧ୍ୟ ଆଲର୍ଟ କରା ହେଇଥିଲା ।

ବିକାଶ ଦୁବେ ଏମିତି ଜଣେ ଅପରାଧୀ ଯାହାପାଇଁ ମାତ୍ର ୭ ଦିନ ମଧ୍ୟରେ ତାକୁ ଧରେଇବା ରାଶି ୧୦ ଗୁଣା ବଢାଇ ଦିଆ ଯାଇଥିଲା ।

Image Courtesy of Hindustan Times

ଆସନ୍ତୁ ଜାଣିବା ବିକାଶ ଦୁବେ କିଏ ?

ଉତ୍ତରପ୍ରଦେଶ  ଚୌବେପୁର ବ୍ଲକର  ବିକୃ ଗ୍ରାମରେ ୨୬ ଡିସେମ୍ବର ୧୯୬୪ରେ ଜନ୍ମଗ୍ରହଣ କରିଥିଲା । ଛୋଟବେଳୁ ଗ୍ୟାଙ୍ଗ ଷ୍ଟାର ହେବାର ସ୍ବପ୍ନ ଦେଖୁଥିଲା । ସୌକିନରେ ଅପରାଧୀ ବନିଥିଲା । ୧୯୯୯ ର ହିନ୍ଦୀ ଚଳଚିତ୍ର ଅର୍ଜୁନ ପଣ୍ଡିତ ଦ୍ୱାରା ପ୍ରଭାବିତ ହୋଇ ନିଜ ନାମକୁ ନିଜେ ବିକାଶ ପଣ୍ଡିତ ରଖିଥିଲା । ତା’ ନାମରେ ପ୍ରଥମ ଅପରାଧିକ ମାମଲା ୧୯୯୦ରେ ରୁଜୁ ହେଇଥିଲା । ଆଜି ପର୍ଯ୍ୟନ୍ତ ତା’ ନାମରେ ପ୍ରାୟ ପାଞ୍ଚ ଡଜନରୁ ଅଧିକ ମାମଲା ବିଚାରାଧୀନ ଅଛି । ତା’ ବିରୋଧରେ ଥିବା କିଛି ପ୍ରମୁଖ ମାମଲା ହେଲା …

* ୨୦୦୦ ମସିହାରେ ତାରାଚାନ୍ଦ ଇଣ୍ଟର କଲେଜର ଜମି ଅକ୍ତିଆର କରି ସେଠି ମାର୍କେଟ କମ୍ପ୍ଲେକ୍ସ  ତିଆରି କରିବା ପାଇଁ କଲେଜ ଅଧ୍ୟକ୍ଷ ସିଦ୍ଧେଶ୍ୱର ପାଣ୍ଡେଙ୍କୁ ହତ୍ୟା ।

* ୨୦୦୧ରେ ଶିବଲି ଥାନା ଭିତରେ ପଶି ବିଜେପି ସରକାରର ରାଜ୍ୟମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା ।

ଭାରତୀୟ ଦଣ୍ଡ ସଂହିତାର ପ୍ରାୟ ୪୬ ଟି ଧାରା ତା’ ବିରୋଧରେ ଲାଗିଛି । କେବଳ ସେତିକି ନୁହେଁ  ତା’ ଉପରେ  ଥରେ ଏନଏସଏ ମଧ୍ୟ ଲାଗିଥିଲା ।

ଭାରତ ବର୍ଷରେ ଗୋଟେ ସାଧାରଣ ଅପରାଧୀକୁ ବହୁତ ବଡ ଅପରାଧୀ ହେବାରେ ରାଜନୈତିକ ପୃଷ୍ଠପୋଷକତା ଓ ପୋଲିସର ଭୂମିକା ନିହାତି ଥାଏ, ଯାହାର ଜ୍ୱଳନ୍ତ ଉଦାହରଣ ବିକାଶ ଦୁବେ ।

ଆଜି ଉତ୍ତରପ୍ରଦେଶ ପୋଲିସର ଏ ଅବସ୍ଥା ପାଇଁ କେଉଁଠି ନା କେଉଁଠି ପୋଲିସ ହିଁ ଦାୟୀ ।  ବିକାଶ ଘର ଉପରେ ଚଢ଼ାଉ ହେବାର ସୂଚନା  ତା’ ପାଖକୁ  ସ୍ଥାନୀୟ ଥାନାରୁ ହିଁ ଯାଇଥିଲା ।

ତାର ବିଜେପି ଓ ବିଏସପି ସହ ସମ୍ପର୍କ ଥିଲା । ୧୯୯୫-୯୬ରେ ସିଏ ବିଏସପି ଦଳ ତରଫରୁ ଜିଲ୍ଲାସ୍ତରୀୟ ନିର୍ବାଚନ ମଧ୍ୟ ଜିତିଥିଲା । ତା’ ସ୍ତ୍ରୀ ରିଚା ଦୁବେ ମଧ୍ୟ ସ୍ଥାନୀୟ ନିର୍ବାଚନ ଜିତିଥିଲା ।

ବିକାଶ ଦୁବେ ସଂପର୍କରେ ଉତ୍ତରପ୍ରଦେଶ ପୁଲିସର ଅତିରିକ୍ତ ଡିଜିପି ଏକ ଅତ୍ୟନ୍ତ ମହତ୍ଵପୁର୍ଣ କଥା କହିଛନ୍ତି, ଯାହାକି ବଡ ଅଧିକାରୀମାନେ କେବେ ଏମିତି ଖୋଲାଖୋଲି ପ୍ରେସ କନଫରେନ୍ସରେ କୁହନ୍ତି ନାହିଁ ।  ସିଏ ଯାହା କହିଥିଲେ ତା’ର ଆକ୍ଷରିକ ଅନୁବାଦ ହେଲା- ” ବିକାଶ ଦୁବେ ଯାହା କରିଛି  ତା’ ବଦଳରେ ତା ସହ ଏମିତି ହେବ ଯାହା ଏକ ଉଦାହରଣ ସୃଷ୍ଟି କରିବ. ଆଉ ତାର ଏହି କାମ ପାଇଁ ସିଏ ପଶ୍ଚାତାପ କରିବ।”

Hindustan Times

ଜୁଲାଇ ୩ ରାତିର କାହାଣୀ…

ରାତି ୧୨ତା ବେଳକୁ ବିକାଶକୁ ଗିରଫ କରିବା ପାଇଁ ପୋଲିସ ଟିମ ବାହାରି ପଡନ୍ତି । ଗୋଟେ ଜେସିବି ରାସ୍ତାକୁ ବନ୍ଦ କରି ମଝିରେ ଠିଆ ହେଇଥିବାର ଦେଖନ୍ତି । ଜେସିବିକୁ  ଏମିତି ମଝି ରାସ୍ତାରେ ଦେଖି ପୋଲିସବାଲାଙ୍କର ସନ୍ଦେହ ବଢେ । ମାତ୍ର କେହି କିଛି ବୁଝିବା ଆଗରୁ ଦୁଇ ପଟ ଛାତରୁ ଆଖିବୁଜା ଗୁଳିଚାଳନା ଆରମ୍ଭ ହେଇଯାଏ । ସୁରକ୍ଷା ପାଇଁ ପୋଜିସନ ନେଉ ନେଉ ୮ ଜଣ ପୋଲିସକର୍ମୀ ଟଳି ପଡନ୍ତି । ପୋଲିସ ପୋଜିସନ ନେଇ ପାଲଟା ଗୁଳିଚାଳନା ଆରମ୍ଭ କରିଦିଏ । ପୋଲିସ ତୁଳନାରେ ବିକାଶ ଦୁବେ ଓ ତାର ସହଯୋଗୀ ମାନେ ସୁବିଧାଜନକ ସ୍ଥାନରେ ଥିଲେ । ରାତି ପ୍ରାୟ ଦେଢ଼ଟା ବେଳକୁ ଦୁଇ ପଟୁ ଫାୟାରିଂ ବନ୍ଦ ହେଇଯାଏ । ଏହି ଘଟଣାରେ ପ୍ରାୟ ୩୦୦ ରୁ ୪୦୦ ରାଉଣ୍ଡ ଫାୟାରିଂ ହୋଇଥିଲା । ଘଟନା ପରେ ବିକାଶ ଦୁବେ ଓ ତା ସହଯୋଗୀ ମାନେ ପଳାୟନ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ ।  ଯାହାବି ଯାନବାହାନ ଥିଲା ସେସବୁ ଘରର ସାମ୍ନା ପଟେ ଥିଲା ।  ସେମାନେ ଜାଣିଥିଲେ ସାମ୍ନା ପଟୁ ଫେରାର ହେବା ତାଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ । କାରଣ ଯେଉଁ ପୋଲିସକର୍ମୀ ବଂଚିଥିଲେ  ସେମାନେ  ବ୍ୟାକଅପ ଟିମକୁ ଫୋନ କରି ସାରିଥିଲେ । ଯେ କୌଣସି ସମୟରେ ମଧ୍ୟ ପୋଲିସ ପହଂଚି ଯିବାର  ସମ୍ଭାବନା ମଧ୍ୟ ଥିଲା ।  ତେଣୁ ସେମାନେ ଘର ପଛ ବାଟ ଦେଇ ଯିବାପାଇଁ ପାଇଁ ଠିକ କଲେ ।  ଘର ପଛପଟେ ବିସ୍ତୀର୍ଣ୍ଣ ଚାଷଜମି । ସମସ୍ତେ  ଦୌଡ଼ି ଦୌଡ଼ି ଅଲଗା ଅଲଗା ଦିଗରେ ଚାଲିଲେ ।  ବିକାଶ ଦୁବେ କିଛି କିଲୋମିଟର  ଦୌଡିବା ପରେ ପାଖ ଏକ ଗାଁରୁ ଗୋଟେ ଘର କାନ୍ଥରେ ଡେରା ଯାଇଥିବା ସାଇକେଲ ନେଇ ପଳାୟନ ଜାରି ରଖେ । ଭୋରରୁ ଭୋରରୁ ପହଞ୍ଚେ ନିଜ ଘରଠୁ ୨୫ କିଲୋମିଟର ଦୂର ଶିବଲିରେ ।  ଯେଉଁ ଶିବଲିରେ ୨୦୦୧ରେ ଥାନାରେ ପଶି ସନ୍ତୋଷ ଶୁକ୍ଳାଙ୍କ ହତ୍ୟା କରିଥିଲା ।  ସେଠି ନିଜର କୌଣସି ଅନୁଗାମୀ ଠାରୁ ଏକ  ମଟରସାଇକେଲ ଯୋଗାଡ କରି ବନାରସ ନିକଟବର୍ତ୍ତୀ ଚନ୍ଦୌଲି  ଅଭିମୁଖେ ଗାଡି ଛୁଟଇ ଦିଏ ।   ବାଇକରେ ପ୍ରାୟ ୪୦୦ କିଲୋମିଟର ଦୂର ଅତିକ୍ରମ କରି ପହଞ୍ଚେ ଚନ୍ଦୌଲିରେ ।

ଆଶ୍ଚର୍ଯ୍ୟର କଥା ଦୀର୍ଘ ୪୦୦ କିଲୋମିଟର ରାସ୍ତାରେ ସିଏ କେଉଁଠି ବି ପୋଲିସ ହାବୁଡ଼ରେ ପଡେ ନାହିଁ ।  ଚନ୍ଦୌଲିରେ ପହଂଚି ମୋବାଇଲ ଅନ କରି କାହାକୁ ଫୋନ କରେ । ୩ ଜୁଲାଇ ରାତିରୁ ଗିରଫ ହେବା ମଧ୍ୟରେ ସିଏ କେବଳ ଥରେ ମାତ୍ର ମୋବାଇଲ ଅନ କରିଥିଲା ।  ଯେଉଁଟା ତାର ଶେଷ ଲୋକେସନ ଦେଖାଉଥିଲା ।  ସେଠୁ ସିଏ ଏକ କାର ଯୋଗାଡ କରି ଫରିଦାବାଦରେ ପହଞ୍ଚେ । ସେଠି ନିଜର ସହଯୋଗୀମାନଙ୍କ ସହ ଦେଖା କରେ।  ପୋଲିସଠୁ ଛାଡ଼ି ଆଣିଥିବା ଅସ୍ତ୍ରଶସ୍ତ୍ର ତାଙ୍କୁ ଦେଇଦିଏ । ତା ପରେ  ଗୋଟେ ୟୋ ୟୋ ଗେଷ୍ଟ ହାଉସରେ ପହଂଚି ରୁମ ମାଗେ । ମାତ୍ର  ପରିଚୟ ପତ୍ର ନ ଦେଇ ପାରିବାରୁ ରୁମ ନପାଇ ଫେରି ଆସେ । ପାଖ ସିସିଟିଭି ଫୁଟେଜରୁ ସେ ଏକ ଅଟୋରେ ବସି କେଉଁ ଆଡେ ଯାଉଥିବାର ଶେଷଥର ପାଇଁ ଦେଖା ଯାଇଥିଲା ।  ନାଟକୀୟ ଘଟଣାକ୍ରମରେ ଉଜ୍ଜୈନର ମହାକାଳ ମନ୍ଦିର ପାଖରୁ ମଧ୍ୟପ୍ରଦେଶ ପୋଲିସ ତାକୁ ଆଜି ଗିରଫ କରିଛି ।

ଉପସ୍ଥାପନା : ଦେବଦତ୍ତ ଜେନା

ସମ୍ବନ୍ଧିତ ଖବର