ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ, ଦକ୍ଷିଣ ଭାରତରେ ସୁରକ୍ଷା କଡ଼ାକଡ଼ି

ଥିରୁଭନନ୍ତପୁରମ: ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରାଯାଉଛି। ଜଣେ ଟ୍ରକ୍‌ ଡ୍ରାଇଭର ବେଙ୍ଗାଲୁରୁ ପୁଲିସ୍‌କୁ ଫୋନ୍‌ କରି ଦକ୍ଷିଣ ଭାରତର ବଡ଼ ବଡ଼ ସହରରେ ଆକ୍ରମଣ ହେବା ଖବର ଦେବା ପରେ କର୍ଣ୍ଣାଟକ ପୋଲିସ ସତର୍କ ସୂଚନା ଜାରି କରିଛି। ଶୁକ୍ରବାର ସନ୍ଧ୍ୟା ୫.୩୦ ସମୟରେ ଜଣେ ଟ୍ରକ୍‌ ଡ୍ରାଇଭର ସମ୍ଭାବ୍ୟ ଆକ୍ରମଣ ବିଷୟରେ ଫୋନ୍‌ ଜରିଆରେ ସୂଚନା ଦେଇଥିଲା। ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ, ଗୋଆ ଏବଂ ମହାରାଷ୍ଟ୍ରର ବଡ଼ବଡ଼ ସହରରେ ଆକ୍ରମଣ କରିପାରନ୍ତି। ସୂଚନାକାରୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାୟ ୧୯ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବିଭିନ୍ନ ଟ୍ରେନ୍‌କୁ ଟାର୍ଗେଟ କରିପାରନ୍ତି। ତେବେ, ଉକ୍ତ ସୂଚନାଦାତା ଡ୍ରାଇଭର୍‌ ନୁହନ୍ତି ବରଂ ସେନାର ଜଣେ ପୂର୍ବତନ କର୍ମଚାରୀ ସୁନ୍ଦର ମୂର୍ତ୍ତି ବୋଲି ଜଣାପଡ଼ିଛି। ତାଙ୍କୁ ଗିରଫ କରାଯାଇ ବେଙ୍ଗାଲୁରୁ ପୁଲିସ୍‌ ହେପାଜତରେ ରଖାଯାଇଛି। ଏହି ସୂଚନା କେତେ ଦୂର ସତ୍ୟ ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଶ୍ରୀଲଙ୍କା ନରସଂହାର ପରେ ଆଇନ ଶୃଙ୍ଖଳା ବିଭାଗ ଏହାକୁ ଅଣଦେଖା କରିପାରୁନାହିଁ। କର୍ଣ୍ଣାଟକ ପୁଲିସ୍‌ ମୁଖ୍ୟ ପ୍ରତି ଜିଲ୍ଲାର ପୁଲିସ୍‌ ମୁଖ୍ୟଙ୍କୁ ସତର୍କ ରହିବା ସହ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଜାରି କରିଛନ୍ତି।

ସୂଚନା ଥାଉକି, ଜାତୀୟ ଅନୁସନ୍ଧାନକାରୀ ଏଜେନ୍‌ସି (ଏନ୍‌ଆଇଏ) ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ଜବତ ହୋଇଥିବା ଭିଡିଓଗୁଡିକୁ ଯାଞ୍ଚ କରି ନେସ୍‌ନାଲ ଥୋହିଥ୍‌ ଯାମଥ (ଏନ୍‌ଟିଜେ)ର କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ଦକ୍ଷିଣ ଭାରତରେ ଆଇଏସ୍‌ର ନେଟ୍‌ୱାର୍କ ରହିଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ଏନ୍‌ଆଇଏ ରିପୋର୍ଟକୁ ଆଧାର କରି ଶ୍ରୀଲଙ୍କାକୁ ସମ୍ଭାବ୍ୟ ଆତ୍ମଘାତୀ ଆକ୍ରମଣ ବିଷୟରେ ଗୁଇନ୍ଦା ସୂଚନା ଦିଆଯାଇଥିଲା। ଶ୍ରୀଲଙ୍କାର ବିଭିନ୍ନ ଗୀର୍ଜା ଏବଂ ଭାରତର ଦୂତାବାସରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଭାରତ ପକ୍ଷରୁ ତିନି ଥର ଶ୍ରୀଲଙ୍କାକୁ ସତର୍କ କରାଯାଇଥିଲା। ଇତିମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଭାରତର ନାଗରିକଙ୍କୁ ଶ୍ରୀଲଙ୍କା ନଯିବା ପାଇଁ ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର