ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ପାକିସ୍ତାନକୁ ଯୁଦ୍ଧ ଭଳି ଏକ ଗମ୍ଭୀର ସମୟରେ ୧୦୦ କୋଟି ଡଲାର ପାଣ୍ଠି ମଞ୍ଜୁର କରିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)କୁ କଡ଼ା ନିନ୍ଦା କରାଯାଉଛି। ଭାରତର ଆପତ୍ତି ସତ୍ତ୍ବେ ଆଇଏମ୍ଏଫ୍ ଏହି ପାଣ୍ଠି ମଞ୍ଜୁର କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା କହିଛନ୍ତି ଯେ ପୁଞ୍ଝ, ଉରି, ଟଙ୍ଗଧର ଆଦି ଅଞ୍ଚଳକୁ ଧ୍ବଂସ କରିବା ଲାଗି ଦରକାର ଗୋଳାବାରୁଦ ପାଇଁ ଆଇଏମ୍ଏଫ୍ ଯେତେବେଳେ ପାକିସ୍ତାନକୁ ପାଣ୍ଠି ଦେଉଛି, ସେତେବେଳେ ଉତ୍ତେଜନା ପ୍ରଶମିତ ହେବ ବୋଲି ଅନ୍ତର୍ଜାତୀୟ ସମୁଦାୟ କିଭଳି ଭାବୁଛି, ମୁଁ ବୁଝିପାରୁନାହିଁ। କଂଗ୍ରେସ ସାଂସଦ ଗୌରବ ଗୋଗାଇ ମଧ୍ୟ ଆଇଏମ୍ଏଫ୍କୁ ନିନ୍ଦା କରିବାକୁ ଭୁଲି ନାହାନ୍ତି। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି ଆଇଏମ୍ଏଫ୍କୁ ଅନ୍ତର୍ଜାତୀୟ ମିଲିଟାଣ୍ଟ (ଆତଙ୍କବାଦୀ) ଫଣ୍ଡ ଆଖ୍ୟା ଦେଇଛନ୍ତି।
ଅନ୍ୟ ପକ୍ଷରେ, ଆଇଏମ୍ଏଫ୍ରେ ସରକାରଙ୍କ ରଣନୀତିକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ସରକାରଙ୍କ ରଣନୀତିକୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ଆଇଏମ୍ଏଫ୍ ଋଣ ଦେବା ବିରୋଧରେ ଭୋଟ୍ ଦେବାକୁ କଂଗ୍ରେସ ଗତ ଏପ୍ରିଲ୍ ୨୯ରେ ଦାବି କରିଥିଲା। କିନ୍ତୁ ଭାରତ କାହିଁକି ଭୋଟ୍ରୁ ବିରତ ରହିଲା ଜଣାପଡ଼ୁନାହିଁ। ଦୃଢ଼ ଭାବେ ନାହିଁ କହିଥିଲେ ତାହା ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଥାନ୍ତା ବୋଲି ସେ କହିଛନ୍ତି। ମୋଦୀ ସରକାର ଭୟରେ ନାହିଁ କରିପାରିନଥିବା କଂଗ୍ରେସ ଅଭିଯୋଗ କରିଛି। ଆଗାମୀ ଦିନରେ ଏସିଆନ୍ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ (ଏଡିବି), ବିଶ୍ବବ୍ୟାଙ୍କ ଓ ଗୁରୁତ୍ବପୂର୍ଣ୍ଣ ଏଫ୍ଏଟିଏଫ୍ର ବୈଠକ ହେବ। ସେହି ବୈଠକଗୁଡ଼ିକ ଲାଗି ଭାରତକୁ ଆହୁରି ଭଲ ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି।
ସରକାରଙ୍କୁ ଘେରିବା ଲାଗି ଉଦ୍ୟମ କରୁଥିବା କଂଗ୍ରେସ ନେତା ଶ୍ରୀ ରମେଶ ଓ ପୱନ ଖେରାଙ୍କ ଭଳି ନେତାଙ୍କୁ ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଡ଼ା ସମାଲୋଚନା କରିଛନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଛନ୍ତି। ଆଇଏମ୍ଏଫ୍ରେ ‘ନାହିଁ’ ବୋଲି ଭୋଟ୍ ଦେବାର ବ୍ୟବସ୍ଥା ନଥିଲା। କେବଳ ଭୋଟ୍ଦାନରୁ ବିରତ ରହିବା ବିକଳ୍ପ ଥିଲା, ଯାହା ଭାରତ ଠିକ୍ ଭାବେ ଲାଗୁ କରିଥିଲା ବୋଲି ସେ କହିଛନ୍ତି। ତେବେ, ଆଇଏମ୍ଏଫ୍ର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ଭାରତ ସରକାର ଏକ କଡ଼ା ପଦକ୍ଷେପ ନେଇ ସେଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ତାଙ୍କ ପଦରୁ କାର୍ଯ୍ୟକାଳ ଶେଷ ହେବାର ଛଅ ମାସ ପୂର୍ବରୁ ବିଦା କରିଥିଲେ। ତାଙ୍କ ସ୍ଥାନରେ ବିଶ୍ବବ୍ୟାଙ୍କ ଇଡି ପରମେଶ୍ବରନ ଆୟାରଙ୍କୁ ସାମୟିକ ଭାବେ ନିଯୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/10/IMF-696x377.jpg)