ନୂଆଦିଲ୍ଲୀ: ଲେବାନନ୍‌ର ରାଜଧାନୀ ବେରୁଟରେ ମାଓବାଦୀ ଗୋଷ୍ଠୀର ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକରେ ମୃତ୍ୟୁ ବରଣ କରିଥିବା ବରିଷ୍ଠ ହିଜବୁଲ ନେତା ହାସନ ନସରାଲ୍ଲାଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ଦିନ ଅନୁଷ୍ଠିତ ହେବ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦରେ ନସରାଲ୍ଲାଙ୍କ ହତ୍ୟା ଏକ ଯୁଦ୍ଧର ଭୟ ସୃଷ୍ଟି କରିଛି। କିଭଳି ଭାବେ ଏହି ଏୟାର୍‌ଷ୍ଟ୍ରାଇକ୍‌ରେ ଏକ ବଡ଼ ଅଟାଳିକା ଧ୍ବଂଶ ହୋଇଯାଇଛି ତାହାର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। 

Advertisment

ନସରାଲ୍ଲାଙ୍କ ନିଖୋଜ ଖବର ଆସିବା ପରେ ଇରାନ ବିରୋଧ ପ୍ରଦର୍ଶନ କରିଥିଲା। ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାଙ୍ଗିବା ଲକ୍ଷ୍ୟରେ ଇରାନ ମଙ୍ଗଳବାର ଏହା ଉପରେ ନିଜର ହାଇପରସୋନିକ୍ ମଧ୍ୟମ ଦୂରତା ବିଶିଷ୍ଟ ଫତହ-୨ ସମେତ ୧୮୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇସ୍ରାଏଲର ଏଫ୍-୩୫ ଲଢୁଆ ବିମାନ ମହଜୁଦ ଥିବା ନେଭାଟିମ୍ ଓ ତେଲ ନୋଫ୍ ବିମାନଘାଟି ସମେତ ଇସ୍ରାଏଲର ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଥିଲା। ଅନ୍ୟାନ୍ୟ ଟାର୍ଗେଟ ମଧ୍ୟରେ ନେଗେଭ ମରୁଭୂମିର ହାଟଜେରିମ୍ ବିମାନଘାଟି ଓ ତେଲ ଅବିବରେ ଥିବା ମୋସାଦ ମୁଖ୍ୟାଳୟ ଅନ୍ତର୍ଭୁକ୍ତ। 

ପ୍ରଥମ ଥର ପାଇଁ ବ୍ୟବହୃତ ଫତହ-୧ର ଉନ୍ନତ ସଂସ୍କରଣ ଫତହ-୨ ଇରାନର ବର୍ତ୍ତମାନର ସାମରିକ ସାମର୍ଥ୍ୟକୁ ସୂଚିତ କରୁଛି। ଇରାନ ଅଧିକାରୀଙ୍କ କହିବା ଅନୁସାରେ, ଏହା ଇସ୍ରାଏଲର ଆରୋ ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ କରିଥିଲା, ଯାହା କି ଦୀର୍ଘ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଡିଜାଇନ କରାଯାଇଛି।