ଯବାନଙ୍କ କୋକେଇକୁ କାନ୍ଧ ଦେଲେ ମା-ଭଉଣୀ, ତିନିମାସର ଝିଅ ଦେଲା ମୁଖାଗ୍ନି

ଗୁରୁଦାସପୁର: ବାପାଙ୍କ ଚେହେରାକୁ ମନେରଖିବା ଆଗରୁ ମୁଣ୍ଡ ଉପରୁ ଉଠିଯାଇଛି ବାପାର ହାତ | ବାପାଙ୍କ ସ୍ନେହକୁ ବୁଝିବା ଆଗରୁ ସେହି ବାପାଙ୍କ ଚିତାରେ ମୁଖାଗ୍ନି ଦେଇଛି ତିନି ମାସର କୁନି ଝିଅ | ପଞ୍ଜାବ ଗୁରୁଦାସପୁରର ଯବାନ ରଂଜିତ ସିଂଙ୍କ ଅନ୍ତ୍ୟୋଷ୍ଟିକ୍ରିୟାରେ କିଛି ଏଭଳି ଦୃଶ୍ୟ ସମସ୍ତଙ୍କୁ କନ୍ଦାଇଦେଇଛି | ତିନି ମାସର ଝିଅ ତା’ କୁନି ହାତରେ ବାପାଙ୍କୁ ଶେଷ ବିଦାୟ ଜଣାଇନାହିଁ ବରଂ ନିଜ ପୁଅର କୋକେଇକୁ କାନ୍ଧ ଦେଇଛନ୍ତି ମା | ଯେଉଁ ରାକ୍ଷୀ ବାନ୍ଧି ଭାଇଠାରୁ ସୁରକ୍ଷାର ଆଶୀର୍ବାଦ ନେଇଥିଲେ, ସେହି ଭଉଣୀ ବି ଭାଇକୁ ଲୁହରେ ଭିଜି ଅନ୍ତିମ ଥର ବିଦାୟ ଦେଇଛି | ଜାନୁୟାରୀ ୧୩ ତାରିଖରେ ଜମ୍ମୁକାଶ୍ମୀରର ମାଛିଲ ଅଞ୍ଚଳରେ ୨୬ ବର୍ଷୀୟ ରଂଜିତ ସିଂ ସହିଦ ହୋଇଥିଲେ |

ଭାରତୀୟ ସେନାର ୪୫ ରାଷ୍ଟ୍ରୀୟ ରାଇଫଲସର ଯବାନ ଭାବେ ମୁତୟନ ଥିବା ରଂଜିତଙ୍କ ଉପରେ ବରଫ ପାହାଡ଼ ଧସିପଡିଥିଲା | ରଂଜିତ ଯେଉଁ ସ୍ଥାନରେ ମୁତୟନ ଥିଲେ ସେହି ସ୍ଥାନ ସମୁଦ୍ର ପତ୍ତନରୁ ୧୨ ହଜାର ଫୁଟ ଉପରେ ଥିବାବେଳେ ମାଇନସ ୩୦ ଡିଗ୍ରୀ ତାପମାତ୍ରା ରହିଥିଲା | ସହିଦ ହେବାର ଚାରି ଦିନ ପରେ ରଂଜିତଙ୍କ ପାର୍ଥିବ ଶରୀର ଗୁରୁବାର ସନ୍ଧ୍ୟାରେ ଶ୍ରୀନଗରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅମୃତସର ଆସିଥିଲା | ଏହାପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁ ସିଦ୍ଧପୁରକୁ ନିଆଯାଇଥିଲା |

ଗାଁରେ ଯେତେବେଳେ ସହିଦ ରଂଜିତ ସିଂଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା, ଏହି ସମୟରେ ରଂଜିତଙ୍କ ପତ୍ନୀ ଦିୟା କହିଥିଲେ ‘ ମୋ ରଂଜିତଙ୍କୁ ବନ୍ଦ କାଠବାକ୍ସରୁ ଥରେ ତ କାଢ଼, ସେ ଅଣନିଶ୍ୱାସୀ ହୋଇପଡୁଛନ୍ତି | ମୋ ପରୀ(ଝିଅ)କୁ ତା ବାପାକୁ ଦେଖିବାର ଅଛି, ପରୀ ଦେଖ ତୋ ବାପା ଆସିଛନ୍ତି’ | ଏହି ଦି ପଦ କଥା ଶୁଣି ପୁରା ଗାଁରେ ସମସ୍ତେ ଭୋ ଭୋ ହୋଇ କାନ୍ଦିଥିଲେ |

ସମ୍ବନ୍ଧିତ ଖବର