ରାଜକୋଟ: ଶୁକ୍ରବାର ଦିନ ଆମରେଲି ଜିଲ୍ଲା ଅନ୍ତର୍ଗତ ପିପାବାବ ଗାଁ ନିକଟରେ ଗୋଟାଏ ମାଲ୍‌ଗାଡ଼ି ଧକ୍କା ଖାଇଥିବା ସିଂହୀର ଉତ୍ପାତ ଯୋଗୁଁ ବନ କର୍ମଚାରୀମାନଙ୍କର ଦୁର୍ଦ୍ଦଶା ପଡ଼ିଥିଲା।

Advertisment

ଦୁର୍ଘଟନାରେ ସିଂହୀଟି ଆହତ ହୋଇ ନ ଥିଲେ ମଧ୍ୟ ସେ ଭୀଷଣ ରାଗିଯାଇ ମାଲ୍‌ଗାଡ଼ିର ଇଞ୍ଜିନ୍‌ ଉପରକୁ କୁଦାମାରି ତାକୁ ରାମ୍ପିବିଦାରି ପକାଇଥିଲା। ଏ ଘଟନାରେ ସିଂହମାନଙ୍କ ପାଖକୁ ଯିବାରେ ଅଭ୍ୟସ୍ତ ଥିବା ଦୁଇଜଣ ଫରେଷ୍ଟର୍‌ ମଧ୍ୟ ଛାନିଆ ହୋଇ ଯାଇଥିଲେ। ନିରାପଦ ଦୂରତା ବଜାୟ ରଖିବାକୁ ସେମାନେ ସିଂହୀ ଦୃଷ୍ଟିରେ ନ ପଡ଼ିବା ଭଳି ବଗି ପଛରେ ଛପିବାକୁ ନିଷ୍ପତ୍ତି ନେଇଥିଲେ।

ମିଳିଥିବା ଖବର ଅନୁସାରେ, ଟ୍ରାକ୍‌ ପାଖରେ ସିଂହମାନେ ଚଳପ୍ରଚଳ କରୁ ନାହାନ୍ତି ବୋଲି କ୍ଲିୟରାନ୍‌ସ୍‌ ପାଇବା ପରେ ହିଁ ମାଲ୍‌ଗାଡ଼ିଟି ପିପବବ ଠାରୁ ଦୁଇ କିଲୋମିଟର ଦୂର ଉଚୈୟା ଷ୍ଟେସନ୍‌ରୁ ବାହାରି ଥିଲା। କିନ୍ତୁ, ଟ୍ରେନ୍‌ ଚାଲିବାର ମାତ୍ର କେଇ ମିନିଟ୍‌ ପରେ ହଠାତ୍‌ ଗୋଟାଏ ସିଂହୀ ଧାରଣା ଉପରକୁ ଚାଲି ଆସିବାରୁ ଡ୍ରାଇଭର ତୁରନ୍ତ ବ୍ରେକ୍‌ କଷିଦେଲେ। ଟ୍ରେନ୍‌ଟି ଧୀରେ ଧୀରେ ଚାଲୁଥିବାରୁ ଇଞ୍ଜିନ୍‌ ଖୁବ୍‌ ଆସ୍ତେକିନି ସିଂହୀଟି ଦେହରେ ବାଜିଥିଲା।

ମାତ୍ର ଏତିକି କଥାରେ ସିଂହୀର ରାଗ ପଞ୍ଚମକୁ ଉଠିଥିଲା।

ବନ ସଂରକ୍ଷକ ଏସି ପଟେଲ୍‌ କହନ୍ତି: ସିଂହୀଟି ଏମିତି ରାଗିଲା ଯେ, ଆମ କର୍ମଚାରୀମାନେ ବଗି ପଛରେ ଲୁଚି ରହିଲେ। କେତେ ମିନିଟ୍‌ ପରେ ସେ ଇଞ୍ଜିନ୍‌ ଉପରୁ ଡେଇଁ ପଡ଼ି ପଳାଇ ଗଲା।

ତା’ ଦେହରେ କୌଣସି ଆଘାତ ଲାଗିଛି କି ନାହିଁ ଯାଞ୍ଚ କରିବାକୁ ଦିନ ତମାମ ଆମ କର୍ମଚାରୀମାନେ ତାକୁ ଖୋଜାଖୋଜି କରିଥିଲେ। କିନ୍ତୁ, ଆହତ ହୋଇଥିବା କୌଣସି ପ୍ରାଣୀ ସେ ଅଞ୍ଚଳରେ ମିଳିଲେ ନାହିଁ।