ଉତ୍ତରପ୍ରଦେଶ ପୌର ନିର୍ବାଚନ: ଇଭିଏମ୍‌ରେ ବିଏସ୍‌ପି ବଟନ୍‌ ଟିପିଲେ ଭୋଟ୍‌ ଯାଉଛି ବିଜେପିକୁ

ମିରଟ: ମିରଟର ଗୋଟିଏ ବୁଥ୍‌ରେ ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ କେବଳ ବିଜେପି ଭୋଟ୍‌ ରେକର୍ଡ କରୁଥିବା କଥା ଜଣେ ଭୋଟର୍‌ ଅଭିଯୋଗ କରିଛନ୍ତି। ଯେ କୌଣସି ବଟନ୍‌ ଦାବିଲେ ମଧ୍ୟ ଭୋଟ୍‌ ବିଜେପିକୁ ଯାଉଛି ବୋଲି ସେ କହିଥିଲେ। ଫଳରେ ଦିନତମାମ ସେ ବୁଥ୍‌ରେ ଲୋକେ ପାଟିତୁଣ୍ଡ କରିଥିଲେ। ବୁଧବାର ଦିନ ଉତ୍ତରପ୍ରଦେଶରେ ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା।

ମେସିନ୍‌ରେ ତ୍ରୁଟି ଥିବା କଥା ସ୍ୱୀକାର କରି ଅଧିକାରୀମାନେ ତାହାକୁ ବଦଳାଇ ଦେଇଥିଲେ। କିନ୍ତୁ, ତାହାକୁ ଟାମ୍ପରିଙ୍ଗ୍‌ କରାଯାଇଛି ବୋଲି ଅଣବିଜେପି ଦଳର ଲୋକେ ଅଭିଯୋଗ କରିଥିଲେ।

ସେ ମେସିନ୍‌ଟି ଅକାମି ହୋଇ ଯାଇଥିଲା। ତାହାକୁ ଆମେ ବଦଳାଇ ଦେଇଥିବା କଥା ସହରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମୁକେଶ କୁମାର କହିଥିଲେ।

Image Courtesy of Jansatta

ନିଜ ପସନ୍ଦର ଜଣେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଚେଷ୍ଟା କରି ବିଫଳ ହେଉଥିବା ଜଣେ ଭୋଟ୍‌ର ଅଭିଯୋଗ କରିଥିଲେ । ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କ ବାଉଳା ପରିସ୍ଥିତିର ଭିଡିଓକୁ କେହି ଜଣେ ଅନ୍‌ଲାଇନ୍‌ରେ ପୋଷ୍ଟ୍‌ କରି ଦେଇ ଥିଲା। ଭୋଟର୍‌ ତସ୍‌ଲିମ୍‌ ଅହମଦ୍‌ ବିଏସ୍‌ପିକୁ ଭୋଟ୍‌ ଦେବାକୁ ଚେଷ୍ଟା କରୁଥିବା କଥା ସେ ଭିଡିଓରେ ଦେଖା ଯାଉଛି।

ମୁଁ ବିଏସ୍‌ପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲି। ମୁଁ ବିଏସ୍‌ପି ବଟନ୍‌ ଦାବି ଧରିଲେ ବି ମୋ ଭୋଟ୍‌ ଖଣ୍ଡକ ବିଜେପି ପ୍ରାର୍ଥୀଙ୍କୁ ମିଳିଲା। ମୁଁ ଘଣ୍ଟାଏ ହବ ଏଠି ଛିଡ଼ା ହୋଇଛି। ଏ ପର୍ଯ୍ୟନ୍ତ କିଛି ସମାଧାନ ହେଲା ନାହିଁ। ଏ କଥା ଅହମଦ୍‌ ସେ ଭିଡିଓରେ କହୁଛନ୍ତି।

ଭୋଟ୍‌ ରେକଡ୍‌ କରିବା ମାତ୍ରେ ଇଭିଏମ୍‌ ଲକ୍‌ ହୋଇ ଯାଏ। ତେଣୁ ଭୋଟର୍‌ ଆଉ ଅଲଗା ଅପ୍‌ସନ୍‌ ପାଏ ନାହିଁ। ପୁଣି ପରବର୍ତ୍ତୀ ଭୋଟର୍‌ଙ୍କ ପାଇଁ ମେସିନ୍‌ର ଲକ୍‌ ଖୋଲେ।

ଏ କଥା ଶୁଣିବା ପରେ ବିଏସ୍‌ପି ସମର୍ଥକ ଏବଂ ଅନ୍ୟାନ୍ୟ ଦଳର ସଦସ୍ୟମାନେ ବୁଥ୍‌ରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ତା’ପରେ ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ।

Image Courtesy of The Hindu

ସମସ୍ୟା ଦେଖା ଦେଇଥିବା ଅଞ୍ଚଳଟି ସଂଖ୍ୟାଲଘୁ ବହୁଳ। ଅଧିକାରୀମାନେ ତୁରନ୍ତ ସେ ମେସିନ୍‌ଟିକୁ ବଦଳାଇ ଦେଇଥିଲେ ମଧ୍ୟ ସବୁ ଭୋଟ୍‌ ବିଜେପି ଯାଇଥିବା କଥା ବଡ଼ ଅଡୁଆ ପରିସ୍ଥିତି ଉପୁଜାଇ ଥିଲା ବୋଲି ବିଏସ୍‌ପି ବିଧାୟକ ଯୋଗେଶ ବର୍ମା କହନ୍ତି।

ମିରିଟ ଜୋନ୍‌ର ଡିଭିଜନାଲ୍‌ କମିସନର୍‌ ପ୍ରଭାତ କୁମାର କହନ୍ତି: ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍‌ ଯାଉଥିବା ଘଟଣା ବିଷୟରେ ମୁଁ ସୂଚନା ପାଇଲି। କିନ୍ତୁ, ଦୁଇ ମାସ ତଳେ ନିର୍ବାଚନ କମିସନ୍‌ କହିଥିଲେ ଯେ ଇଭିଏମ୍‌କୁ ଟାମ୍ପରିଙ୍ଗ୍‌ କରି ହେବ ନାହିଁ। କିଛି ବୈଷୟିକ ତ୍ରୁଟି କାରଣରୁ ଏମିତି ହୋଇଥିବା। ସେ ମେସିନ୍‌ଟିକୁ ତୁରନ୍ତ ବଦଳାଇ ଦିଆଯାଇଥିଲା। ତା’ପରେ ସୁରୁଖୁରୁରେ ଭୋଟ୍‌ ଚାଲିଥିଲା।

ଇଭିଏମ୍‌ ଖରାପ ହୋଇଥିବା ଖବର ଆଗ୍ରାରୁ ମଧ୍ୟ ଆସିଛି। ଗୌତମ ନଗରର ୬୯ ନମ୍ବର ବୁଥ୍‌ରେ ଭୋଟର୍‌ମାନେ ଯେଉଁ ବଟନ୍‌ ଦାବିଲେ ମଧ୍ୟ ବିଜେପିକୁ ଭୋଟ୍‌ ଯାଇଥିଲା। ମେୟର୍‌ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଦେବାକୁ ଯାଇଥିବା କେତେକ ଭୋଟର୍‌ କହିଥିଲେ ଯେ ଅନେକ ବୁଥ୍‌ରେ ଇଭିଏମ୍‌ ଆଦୌ କାମ କରୁନାହିଁ। ତା’ପରେ ସେ ମେସିନ୍‌ଗୁଡ଼ିକ ମରାମତି କରାଯାଇଥିଲା। ସେଥି ସକାଶ ଭୋଟ୍‌ ଗ୍ରହଣ ଅଧ ଘଣ୍ଟାଏ ଡେରି ହୋଇଥିଲା।

ସମ୍ବନ୍ଧିତ ଖବର