ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ଟିକା (ଦୁଇଟି ଡୋଜ୍) ନେଇଥିବା ବେଳେ ବହୁତ କମ୍ ଲୋକ ବୁଷ୍ଟର ବା ପ୍ରିକସନ ଡୋଜ୍ (ତୃତୀୟ ଡୋଜ୍) ନେଇଛନ୍ତି। ତଥାପି ଭାରତରେ ସଂକ୍ରମଣ ଅନ୍ୟାନ୍ୟ ଦେଶ ତୁଳନାରେ ନଗଣ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଚତୁର୍ଥ ଡୋଜ୍ ନେବା ଅନାବଶ୍ୟକ ମନେ ହେଉଥିବା ବେଳେ ଏହାର ଆଶ୍ୟକତା ଓ ଉପାଦେୟତା ନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି କୁହାଯାଉଛି। ଚୀନ୍‌ରେ ବ୍ୟାପକ ସଂକ୍ରମଣକୁ ଆଖି ଆଗରେ ରଖି ଭାରତରେ ଆଉ ଏକ ଲହର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ପରିପ୍ରେକ୍ଷୀରେ ଭାରତରେ ଦ୍ବିତୀୟ ବୁଷ୍ଟର ପାଇଁ ସରକାର ଅନୁମତି ଦେବା ଉଚିତ କି ନୁହେଁ ସେ ନେଇ ଅନୁଧ୍ୟାନ କରିବାକୁ କେତେକ ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି।

Advertisment

ଭାରତର ସ୍ଥିତି ଚୀନ୍‌ଠାରୁ ଅଲଗା। ଏଠାରେ ଅଧିକାଂଶ ଲୋକ ଦୁଇଟି ଟିକା ନେଇଛନ୍ତି ଏବଂ ଭୂତାଣୁ ସଂସ୍ପର୍ଶରେ ବି ଆସିଛନ୍ତି। କିଛି ଲୋକ ବୁଷ୍ଟର ବି ନେଇଛନ୍ତି। ଭାରତରେ ସଂକ୍ରମଣ ବି ଅନ୍ୟ ଦେଶ ତୁଳନାରେ ନଗଣ୍ୟ। ଏଣୁ ଭାରତରେ ଚୀନ୍ ଭଳି ପରିସ୍ଥିତି ଆସିବ ବୋଲି ଆଶା କରାଯାଉ ନାହିଁ। ତେଣୁ ଭାରତରେ ଦ୍ବିତୀୟ ବୁଷ୍ଟରର ଆବଶ୍ୟକତା ନାହିଁ ବୋଲି କୁହନ୍ତି ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌), ପୁନେର ବୈଜ୍ଞାନିକ ସତ୍ୟଜିତ୍ ରଥ। କିନ୍ତୁ ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଡ. ଜେଏ ଜୟଲାଲ ଏକ ବୈଠକରେ ମଙ୍ଗଳବାର କହିଛନ୍ତି ଭାରତ ସରକାର ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଓ ସମ୍ମୁଖ କୋଭିଡ୍ ଯୋଦ୍ଧାମାନଙ୍କୁ ଚତୁର୍ଥ ଡୋଜ୍ ଦେବା ବିଷୟରେ ଚିନ୍ତା କରିବା ଉଚିତ।