ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ, କେତେକ ସହରରେ ପଥର ମାଡ଼

ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ନମାଜ ପରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନ କେତେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା । ଏହାକୁ ଦେଖି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲହୁବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା ।

ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ମୁସଲିମ ସଂପ୍ରଦାୟର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । କେତେକ ସ୍ଥାନରେ ପଥର ମାଡ଼ ମଧ୍ୟ ହୋଇଥିଲା । ବିକ୍ଷୋଭକାରୀମାନେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଗିରଫ ଦାବି କରୁଛନ୍ତି । ରାଞ୍ଚିରେ ସ୍ଥିତି ହିଂସାତ୍ମକ ହେବା ପରେ ପୁଲିସ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ଇରାନ,କାତାର, ସାଉଦି ଆରବ, ଇଣ୍ଡୋନେସିଆ, ୟୁଏଇ ସମେତ ବିଶ୍ବର ଅଧିକାଂଶ ମୁସଲିମ ଦେଶ ଏହାକୁ ନିନ୍ଦା କରିଛନ୍ତି । ଏହା ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।

 

ସମ୍ବନ୍ଧିତ ଖବର