ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଲା
୧୪୦୦ କୋଟି ପାଇଁ ୨୬୦୦୦ କୋଟିର କମ୍ପାନିକୁ ନଷ୍ଟ କରିଦେଲେ
ଆମେ ଏବେ ଭଗବାନଙ୍କ ଭରସାରେ

Advertisment

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କିଶୋର ବିୟାନିଙ୍କ ସଂସ୍ଥା ଫ୍ୟୁଚର ଗ୍ରୁପ୍ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟରେ ଆମାଜନ ବିରୋଧରେ ଅଭିଯୋଗ କରିଛି। ମାତ୍ର ୧,୪୦୦ କୋଟି ଟଙ୍କା ପାଇଁ ଆମାଜନ୍‌ ୨୬ ହଜାର କୋଟି ଟଙ୍କାର ଏକ କଂପାନିକୁ ନଷ୍ଟ କରିଦେଇଛି ବୋଲି କଂପାନି କହିଛି। ଫ୍ୟୁଚର୍‌ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ଆମାଜନ ଆମକୁ ନଷ୍ଟ କରିବାକୁ ଚାହୁଥିଲା। ସେଥିରେ ତାହା ସଫଳ ହୋଇଛି। ଆମେ ଏବେ କେବଳ ସୁଆ ଖିଅରେ ଝୁଲୁଛୁ। ଆମ ସହ କେହି ବ୍ୟବସାୟ କରିବାକୁ ଚାହୁନାହାନ୍ତି। ଘର ଛାଡ଼ିବା ଲାଗି ଘର ମାଲିକ କହିବା ପରେ ଆମେ କ’ଣ କରିପାରିବୁ? ଆମେ ୮୩୫ରୁ ଅଧିକ ‌ଷ୍ଟୋର ହରାଇସାରିଲୁଣି। ବଳକା ୩୭୪ ଷ୍ଟୋରକୁ କେବଳ ଭଗବାନଙ୍କୁ ପ୍ରାର୍ଥନା କରି ଚଲାଉଛୁ ବୋଲି ଫ୍ୟୁଚର ଗ୍ରୁପ୍ କୋର୍ଟଙ୍କୁ କହିଛି।

ଫ୍ୟୁଚର ଗ୍ରୁପ୍‌ର ଏଭଳି ଅଭିଯୋଗର ଉତ୍ତରରେ ଆମାଜନ୍ ପକ୍ଷରୁ କୁହାଯାଇଛି ଯେ ୨୦୧୯ରେ ଯେଉଁ ଚୁକ୍ତି ସ୍ବାକ୍ଷର ହୋଇଥିଲା ସେଥିରେ ସ୍ପଷ୍ଟ ଭାବେ ସର୍ତ୍ତ ରହିଥିଲା ଫ୍ୟୁଚର ଏହାର ରିଟେଲ୍ ସମ୍ପତ୍ତିକୁ ‘ନିଷିଦ୍ଧ ବର୍ଗ’ର କୌଣସି ସଂସ୍ଥାକୁ ବିକିପାରିବନି। ସେହି ନିଷିଦ୍ଧ ତାଲିକାରେ ରିଲାଏନ୍ସ ନାମ ଥିଲା। ତାହାକୁ ଅଣଦେଖା କରି ରିଲାଏନ୍ସ ସହ ଫ୍ୟୁଚର ଗ୍ରୁପ୍ ବୁଝାମଣା କରିଥିଲା। ଏବେ ଯେଉଁ ଭାବେ ଏହା ନିଜ ଷ୍ଟୋର୍‌ଗୁଡ଼ିକୁ ରିଲାଏନ୍ସକୁ ସମର୍ପି ଦେଉଛି ତାହାକୁ ନେଇ ଆମାଜନ ଆପତ୍ତି ଉଡାଇଛି। ଷ୍ଟୋର ହରାଇବା ଘଟଣା ‘ରିପ୍ଲେଜ୍‌ ବିଲିଭ୍‌ ଇଟ୍‌ ଅର୍‌ ନଟ୍‌’ ସୋ’ ଭଳି ମନେ ହେଉଛି। କୌଣସି ପ୍ରତିବାଦ ବିନା ଫ୍ୟୁଚର ଏହାର ୮୦୦ରୁ ଅଧିକ ଷ୍ଟୋର୍‌ ଦେଇସାରିଲାଣି। ଫ୍ୟୁଚର ପକ୍ଷରୁ କୁହାଯାଇଛି ଯେ ଯେହେତୁ ଆମେ ଭଡ଼ା ଦେଇପାରୁନାହୁଁ, ତେଣୁ ଆମକୁ ଷ୍ଟୋର୍‌ ହଟାଇବାକୁ ପଡ଼ିଛି। ଆମ ଋଣକୁ ଏନ୍‌ପିଏ ବର୍ଗରେ ସାମିଲ କରାଯିବା ପରେ ତାହାକୁ ଜବତ କରାଯାଇଛି। ତେଣୁ ଆମେ କୌଣସି ପେମେଣ୍ଟ୍‌ କରିପାରୁନାହୁଁ ବୋଲି କଂପାନି କହିଛି। କିନ୍ତୁ, ଆମାଜନ୍ କହିଛି ଯେ ଟଙ୍କା ନଥିବାରୁ ଭଡ଼ା ଦେଇପାରୁନାହିଁ ବୋଲି ଫ୍ୟୁଚର ଯାହା କହୁଛି ତାହା ଏକ ରଣନୀତିର ଅଂଶ। ଏହି ମାମଲାରେ ମଧ୍ୟସ୍ଥତା ଟ୍ରିବ୍ୟୁନାଲ୍ କୌଣସି ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ କୌଣସି ପ୍ରକାର ରାୟ ନଦେବାକୁ ସୁପ୍ରିମ୍‌ କୋର୍ଟଙ୍କୁ ଆମାଜନ ନିବେଦନ କରିଛି।

ନିଜ ମୁଣ୍ଡରୁ ଋଣ ବୋଝ ହାଲୁକା କରିବା ଲାଗି କିଶୋର ବିୟାନି ୨୦୨୦ରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍‌କୁ ନିଜର ରିଟେଲ୍ ବ୍ୟବସାୟକୁ ୨୪ ହଜାର କୋଟି ଟଙ୍କାରେ ବିକ୍ରି କରିବାକୁ ଚୁକ୍ତି କରିଥିଲେ। ସେହି ଚୁକ୍ତି ଉପରେ ଆମାଜନ ଆପତ୍ତି ଉଠାଇବା ସହ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୧୯ରେ ଫ୍ୟୁଚର କୁପନ୍ ନାମକ ବିୟାନିଙ୍କ ଏକ ସଂସ୍ଥାରେ ଆମାଜନ ୧୪୦୦ କୋଟି ନିବେଶ କରିବା ବେଳେ ସର୍ତ୍ତ ରଖିଥିଲା ଯେ ଏହା ନିଜର ରିଟେଲ୍‌ କାରବାରକୁ ଚୁକ୍ତିରେ ନିଷିଦ୍ଧ ଦର୍ଶାଯାଇଥିବା ସଂସ୍ଥାକୁ ବିକ୍ରି କରିପାରିବ ନାହିଁ। ସେହି ତାଲିକାରେ ରିଲାଏନ୍ସ ନାମ ଥିବା ସତ୍ତ୍ବେ ଫ୍ୟୁଚର ତାହାକୁ ଅଣଦେଖା କରି ଆଗକୁ ବଢ଼ିଥିଲା। କିନ୍ତୁ, ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟରେ ଆମାଜନ ବିଜୟୀ ହୋଇଥିଲା। ଏବେ ସେହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ୍ ୪ରେ କରାଯିବ। ଇତିମଧ୍ୟରେ ଫ୍ୟୁଚର ଗ୍ରୁପ୍ର ପ୍ରମୁଖ ଷ୍ଟୋର୍‌ ତଥା ବିଗ୍‌ ବଜାର, ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରି ଆଦିକୁ ମୁକେଶ ଅମ୍ପାନିଙ୍କ ରିଲାଏନ୍ସ ରିଟେଲ୍‌ ଚତୁରତାର ସହ ଅଧିଗ୍ରହଣ କରୁଛି। ଅତୀତରେ ଏହି ଷ୍ଟୋର୍‌ଗୁଡ଼ିକ ପାଇଁ ଫ୍ୟୁଚର ଘର ମାଲିକଙ୍କୁ ଭଡ଼ା ଦେଇପାରୁନଥିଲା। ସେହିସବୁ ମାଲିକମାନଙ୍କ ସହିତ ରିଲାଏନ୍ସ ଲିଜ୍‌ ବୁଝାମଣା ସ୍ବାକ୍ଷର କରି ତାହାକୁ ସବ୍‌ଲିଜ୍‌ରେ ଫ୍ୟୁଚରକୁ ଦେଇଥିଲା। ସେଥିପାଇଁ ରିଲାଏନ୍ସକୁ ଫ୍ୟୁଚର ଭଡ଼ା ଦେଉଥିଲେ। ପୁଣି କିଛି ମାସ ପୂର୍ବେ ଅର୍ଥାଭାବ ଯୋଗୁଁ ରିଲାଏନ୍ସକୁ ଭଡ଼ା ଦେବାରେ ଫ୍ୟୁଚର ଗ୍ରୁପ୍ ବିଫଳ ହେବାରୁ ସବ୍‌ଲିଜ୍‌ ଚୁକ୍ତିକୁ ରିଲାଏନ୍ସ ବାତିଲ କରିଦେଇଥିଲା। ଯେଉଁ ସବୁ ଷ୍ଟୋର୍‌ଗୁଡ଼ିକ ପାଇଁ ଫ୍ୟୁଚର ଭଡ଼ା ଦେଇପାରୁନାହିଁ, ସେଗୁଡ଼ିକୁ ରିଲାଏନ୍ସ ଅଧିଗ୍ରହଣ କରିଛି। ଏବେ ସେହି ଷ୍ଟୋର୍‌ଗୁଡ଼ିକରୁ ଫ୍ୟୁଚରର ଚିହ୍ନ ହଟାଇ ସେଠାରେ ରିଲାଏନ୍ସ ପକ୍ଷରୁ ସ୍ମାର୍ଟ ବଜାର ନାମରେ ନୂଆ ଷ୍ଟୋର୍‌ ସ୍ଥାପନ କରାଯାଉଛି। କିନ୍ତୁ ଏହି ପ୍ରକ୍ରିୟା ପ୍ରତି ଫ୍ୟୁଚର୍‌ ଆପତ୍ତି ନଉଠାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।