ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଙ୍କ ଭବିଷ୍ୟତ ସନ୍ଦିହାନ

ନୂଆଦିଲ୍ଲୀ: ନିକଟରେ ନ୍ୟାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି) ବିଦେଶରେ ସ୍ନାତକ ପାସ୍ କରିଥିବା ମେଡିକାଲ ଛାତ୍ରମାନଙ୍କୁ ଭାରତରେ ଇଣ୍ଟର୍ଣ୍ଣସିପ କରିବାକୁ ଅନୁମତି ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଙ୍କୁ କେମିତି ଗ୍ରହଣ କରାଯିବ ସେ ନେଇ ସେମାନେ ସନ୍ଦେହରେ ରହିଛନ୍ତି। କାରଣ ବିଦେଶ-ଫେରନ୍ତା ଛାତ୍ରମାନଙ୍କ ପାଇଁ ନିୟମ କୋହଳ କରିବାକୁ ହେଲେ ଆଇନରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଇଁ ଯେଉଁମାନେ ଫରେନ୍ ମେଡିକାଲ ଗ୍ରାଜୁଏଟ୍‌ସ ଏକ୍‌ଜାମିନେସନ (ଏଫ୍‌ଏମ୍‌ଜିଇ) ପାସ୍ କରିଛନ୍ତି, ସେମାନଙ୍କ ଇଣ୍ଟର୍ଣ୍ଣସିପ୍ ପ୍ରକ୍ରିୟା ଶେଷ କରିବା ଲାଗି ଏନ୍‌ଏମ୍‌ସି ରାଜ୍ୟ ମେଡିକାଲ କାଉନ୍‌ସିଲଗୁଡ଼ିକୁ ଆଦେଶ ଦେଇଛି। ଏଫ୍‌ଏମ୍‌ଜିଇ ହେଉଛି ନ୍ୟାସନାଲ ବୋର୍ଡ ଅଫ୍ ଏଗ୍‌ଜାମିନେସନ୍ସ (ଏନ୍‌ବିଇ) ଦ୍ବାରା ପରିଚାଳିତ ଏକ ଲାଇସେନ୍ସିଏଟ୍ ପରୀକ୍ଷା ଯାହା ବିଦେଶରୁ ମେଡିକାଲ ଡିଗ୍ରି ନେଇ ଆସିଥିବା ଭାରତୀୟ ଛାତ୍ରମାନଙ୍କୁ ବାଧ୍ୟତାମୂଳକ ଭାବେ ଦେବାକୁ ହୁଏ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ଭାରତରେ ଡାକ୍ତରି ପ୍ରାକ୍ଟିସ୍ କରିବା ପାଇଁ ଅନୁମତି ମିଳେ।

ବର୍ତ୍ତମାନ ଯୁଦ୍ଧ-ଦୀର୍ଣ୍ଣ ୟୁକ୍ରେନ୍‌ରୁ ଆସିଥିବା ଭାରତୀୟ ମେଡିକାଲ ଛାତ୍ରମାନଙ୍କୁ ଗ୍ରହଣ କରିବାକୁ ହେଲେ ଭାରତୀୟ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ଏନ୍‌ଏମ୍‌ସିର କେତେକ ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିବ। ବର୍ତ୍ତମାନ ଇଣ୍ଟର୍ଣ୍ଣସିପ ସାରିବା ପାଇଁ ଏନ୍‌ଏମ୍‌ସି ଅନୁମତି ଦେଇଛି। କିନ୍ତୁ ପାର୍ଲାମେଣ୍ଟରେ ଆଇନ ପାସ୍ ହେବା ପରେ ଏନ୍‌ଏମ୍‌ସି ଗଠିତ ହୋଇଥିଲା। ବର୍ତ୍ତମାନ ୟୁକ୍ରେନାଗତ ଛାତ୍ରମାନଙ୍କ ଅସମ୍ପୂର୍ଣ୍ଣ ଡାକ୍ତରୀ ଶିକ୍ଷାକୁ ସମ୍ପୂର୍ଣ୍ଣ କରିବା ପାଇଁ କେତେକ ଆଇନରେ ପରିବର୍ତ୍ତନ କରିବାକୁ ପଡ଼ିବ। ସରକାର କିଛି ବାଟ ବାହାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏ ବାବଦରେ ବିଚାରବିମର୍ଶ କରିବା ପାଇଁ ଏନ୍‌ଏମ୍‌ସି ସମେତ କେତେକ ସରକାରୀ ବିଭାଗ ଚଳିତମାସରେ ବୈଠକ କରିବାର ସମ୍ଭାବନା ରହିଛି। କିନ୍ତୁ ଭାରତୀୟ ମେଡିକାଲ ଶିକ୍ଷା ସଂସ୍ଥାର ଅନେକ ବିଶେଷଜ୍ଞ ମେଡିକାଲ ଶିକ୍ଷା ପାଇଁ ଗୃହୀତ ମାନକ ନୀତିକୁ କୋହଳ କରିବା ବିରୋଧରେ ମତବ୍ୟକ୍ତ କରିଛନ୍ତି। ଏଫ୍‌ଏମ୍‌ଜିଇର ନିମ୍ନ ପାସ୍ ହାରକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ୨୦୨୦ରେ ୨୦ ପ୍ରତିଶତ ଓ ୨୦୨୧ରେ ୨୪ ପ୍ରତିଶତ ଛାତ୍ର ପାସ୍ କରିଥିଲେ। ବର୍ଷରେ ଦୁଇଥର ଏହି ପରୀକ୍ଷା କରାଯାଇଥାଏ।

ଏଫ୍‌ଏମ୍‌ଜିଇ ହେଉଛି ଏକ ଲାଇସେନ୍ସିଏଟ୍‌ ପରୀକ୍ଷା ଯାହାର ମାନକୁ କମ୍ କରାଯାଇପାରିବ ନାହିଁ। ଏଥିରେ ଫେଲ ହେଉଥିବା ପିଲା ପୁଣି ପାସ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ସର୍ବୋପରି ଭାରତରେ ଉଚ୍ଚ ମାନର ଡାକ୍ତରଙ୍କର ଆବଶ୍ୟକତା ରହିଛି ବୋଲି ଏନ୍‌ଏଚ୍‌ଏଲ୍‌ ମେଡିକାଲ କଲେଜର ଡିନ୍ ପ୍ରତୀକ ପଟେଲ କହିଛନ୍ତି। ତେଣୁ ଭାରତ ସେମାନଙ୍କୁ ଏଫ୍‌ଏମ୍‌ଜିଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉତ୍ତମ ତାଲିମର ବ୍ୟବସ୍ଥା କରିପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର