ନୂଆଦିଲ୍ଲୀ : ଦେଶରେ ଖୁବ୍ କମ୍ ସମୟ ମଧ୍ୟରେ ୧୪୦ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ଭାରତ ମଜଭୁତ ସ୍ଥିତି ହାସଲ କରିଛି ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତର କ୍ଷମତା ଏବଂ ତା’ର ସାମର୍ଥ୍ୟକୁ ସମଗ୍ର ବିଶ୍ୱ ସ୍ୱୀକାର କରିବାକୁ ଆରମ୍ଭ କରିଛି।

Advertisment

ବେଙ୍ଗାଲୁରୁଠାରେ ଜି ୨୦ ଚତୁର୍ଥ ସଂସ୍କରଣର ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ (ଏସ୍‌ଇଏଲ୍‌ଏମ୍‌‌)ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି, ଯିଏକି ଘରୋଇ ସଂସ୍ଥାମାନଙ୍କ ପାଇଁ ଭାରତର ମହାକାଶ ଉଦ୍ୟୋଗକୁ ଉନ୍ମୁକ୍ତ କରିଛନ୍ତି। ଘରୋଇ କ୍ଷେତ୍ରକୁ ପ୍ରଶଂସା କରି ମନ୍ତ୍ରୀ ସିଂହ ସେମାନଙ୍କର ଭୂମିକାକୁ ମହାକାଶ ଅର୍ଥନୀତିରେ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ମହାକାଶର ବହିର୍ଭାଗ ଉପରେ ଅନୁସନ୍ଧାନ ପାଇଁ ମନୁଷ୍ୟର ବୃଦ୍ଧି ପାଉଥିବା ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଶସ୍ତରୀୟ ସହଯୋଗ ଏବଂ ମେଣ୍ଟ ଗଠନ କରାଯିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଜି ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଟେଲି ଯୋଗାଯୋଗ ଠାରୁ ଆରମ୍ଭ କରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମାଂଚଳର ବିକାଶ, ବିପର୍ଯ୍ୟୟ ଚେତାବନୀ ଏବଂ ପ୍ରଶମନ, ଜଳବାୟୁ ପରିବର୍ତ୍ତନର ଅଧ୍ୟୟନ, ପ୍ରତିରକ୍ଷା ଏବଂ ଶାସନ ସମେତ ମାନବ ଜୀବନର ସମସ୍ତ ଦିଗକୁ ଛୁଇଁଛି ବୋଲି ମନ୍ତ୍ରୀ କହିଛନ୍ତି। ଦୁଇ ଦିନିଆ ବୈଠକରେ ଜାତୀୟ ମହାକାଶ ଏଜେନ୍ସି ଗୁଡିକର ମୁଖ୍ୟ, ଜି -୨୦ ର ମହାକାଶ ଉଦ୍ୟୋଗର ନେତୃମଣ୍ଡଳୀ, ଜି -୨୦ ଦେଶର ବରିଷ୍ଠ କୂଟନୀତିଜ୍ଞ ତଥା ଆମନ୍ତ୍ରିତ ଦେଶ ସମୂହ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଛନ୍ତି।