‘ଜି-୨୦ ଇଣ୍ଡିଆ’ ମୋବାଇଲ୍ ଆପ୍ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଜି-୨୦ ସମନ୍ବୟ କମିଟିର ୯ମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଜି-୨୦ ସମନ୍ୱୟ କମିଟିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଜି-୨୦ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ୍, ପ୍ରୋଟୋକଲ୍, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି। ଭାରତ ମଣ୍ଡପମ୍‌ର କ୍ଷେତ୍ର ଓ କାର୍ଯ୍ୟସ୍ଥଳୀରେ କାମ ସନ୍ତୋଷଜନକ ଭାବେ ଚାଲିଛି। ଏକ ଅନନ୍ୟ ଭାରତୀୟ ଅନୁଭୂତି ପାଇଁ ଭାରତ ମଣ୍ଡପମ୍‌ରେ ସଂସ୍କୃତି ଓ ‘ଗଣତନ୍ତ୍ରର ମାତା’ ଭାରତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ଜି-୨୦ ଲାଗି ‘ଜି-୨୦ ଇଣ୍ଡିଆ’ ନାମକ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି, ଯାହା ଏବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ।

ଭାରତ ମଣ୍ଡପମ୍‌ରେ ପ୍ରତିଷ୍ଠା ହେବାକୁ ଥିବା ‘ଇନୋଭେସନ୍ ହବ୍’ (ନବସୃଜନ କେନ୍ଦ୍ର) ଏବଂ ‘ଡିଜିଟାଲ୍ ଇଣ୍ଡିଆ ଏକ୍ସପେରିମେଣ୍ଟାଲ ହବ୍’ (ଡିଜିଟାଲ୍ ଇଣ୍ଡିଆ ପରୀକ୍ଷଣ କେନ୍ଦ୍ର) ଜରିଆରେ ଜି-୨୦ ପ୍ରତିନିଧି ଓ ଗଣମାଧ୍ୟମର ସଦସ୍ୟମାନେ ଡିଜିଟାଲ୍ ଇଣ୍ଡିଆକୁ ପ୍ରତ୍ୟକ୍ଷ ଭାବେ ଦେଖିବେ। ଲଜିଷ୍ଟିକ୍ ଦୃଷ୍ଟିକୋଣରୁ ଡ୍ରିଲ୍ ଆୟୋଜନ କରାଯିବା ସହ ଆଗାମୀ ଦିନରେ ଡ୍ରେସ୍ ରିହର୍ସାଲ୍ କରିବାକୁ ଯୋଜନା କରାଯାଇଛି। ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦିଗ ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଜନସାଧାରଣଙ୍କ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସହରରେ ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଦେଶୀ ଗଣମାଧ୍ୟମକୁ ମିଶାଇ ୩,୬୦୦ରୁ ଅଧିକ ଅନୁରୋଧ ଗ୍ରହଣ କରାଯାଇଛି ଏବଂ ମାନ୍ୟତାପତ୍ର ଜାରି କରାଯାଉଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତ ମଣ୍ଡପମ୍‌ରେ ଥିବା ମିଡିଆ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। ଏକ ନିରପେକ୍ଷ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ସଂପୃକ୍ତ ଅଧିକାରୀ ଓ ସଂଗଠନ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର