ଶ୍ରୀନଗର: କଡ଼ା ସୁରକ୍ଷା ମଧ୍ୟରେ ଆଜି ଜମ୍ମୁ କାଶ୍ମୀରର ଶ୍ରୀନଗରରେ ବହୁ ପ୍ରତୀକ୍ଷିତ ଜି-୨୦ ବୈଠକ ଆରମ୍ଭ ହୋଇଛି। ଶ୍ରୀନଗରର ସେର-ଆଇ-କାଶ୍ମୀର ଇଣ୍ଟରନେସନାଲ କନଭେନସନ ସେଣ୍ଟର (ଏସକେଆଇସିସି)ରେ ତୃତୀୟ ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ୍ ବୈଠକ ହେଉଛି। ଧାରା ୩୭୦ ଉଚ୍ଛେଦ ପରେ ଏହା ଜମ୍ମୁ କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ମେ’ ୨୨ରୁ ୨୪ ପର୍ଯ୍ୟନ୍ତ କାଶ୍ମୀରରେ ଜି-୨୦ ବୈଠକ ଚାଲିବ। ଜି-୨୦ ବୈଠକ ପାଇଁ ସମଗ୍ର କାଶ୍ମୀରରେ ସେନା ଛାଉଣି ହୋଇଛି। କାଶ୍ମୀର ଏକ ଦୁର୍ଗରେ ପରିଣତ ହୋଇଛି। ଏନ୍ଏସ୍ଜି କମାଣ୍ଡୋ ଏବଂ ମାର୍କସ କମାଣ୍ଡୋ ମଧ୍ୟ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି। ସୁରକ୍ଷାବାହିନୀ ଏବଂ ଗୁଇନ୍ଦା ସଂସ୍ଥା ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି। ଜି-୨୦ ପ୍ରତିନିଧିମାନେ ଆଜି ଶ୍ରୀନଗରରେ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡି ଶ୍ରୀନଗର ବିମାନବନ୍ଦରରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ସମସ୍ତ ଜି-୨୦ ପ୍ରତିନିଧିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୁଲେଟ ପ୍ରୁଫ୍ ଗାଡ଼ି, ଜାମର, ଆମ୍ବୁଲାନ୍ସ ଦିଆଯାଇଛି। ୧୫୦ରୁ ଅଧିକ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ଚୀନ୍, ତୁର୍କୀ ଏବଂ ସାଉଦି ଆରବ ଜି-୨୦ ବୈଠକରେ ଯୋଗ ଦେଇନାହାନ୍ତି। ବୈଠକ ପାଇଁ ଇଜିପ୍ଟକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ଇଜିପ୍ଟ କୌଣସି ପ୍ରତିନିଧିଙ୍କୁ ପଠାଇନି। ଆଜିଠାରୁ ୩ ଦିନିଆ ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ଆରମ୍ଭ ହୋଇଛି। ବୁଧବାର ଦିନ ମୁଖ୍ୟ କାର୍ଯ୍ୟକ୍ରମ ଅଛି।
ସ୍ପେନ୍, ସିଙ୍ଗାପୁର, ମରିସସ୍ ସମେତ ୭ଟି ରାଷ୍ଟ୍ର ଜମ୍ମୁ କାଶ୍ମୀରରେ ଫିଲ୍ମ ପର୍ଯ୍ୟଟନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଅଭିନେତା ରାମ ଚରଣ ଶ୍ରୀନଗରରେ ଆଜି ଜି-୨୦ର ପ୍ରଥମ ପାର୍ଶ୍ବ କାର୍ଯ୍ୟକ୍ରମ ତଥା ‘ଫିଲ୍ମ ଟୁରିଜିମ ଫର ଇକୋନୋମିକ ଗ୍ରୋଥ୍ ଆଣ୍ଡ କଲଚରାଲ ପ୍ରିଜର୍ବେସନ୍’ରେ ବିଦେଶ ପ୍ରତିନିଧିଙ୍କ ସହ ‘ନାଟୁ ନାଟୁ’ ଗୀତରେ ନାଚିଛନ୍ତି। ଆଜି ‘ଫିଲ୍ମ ଟୁରିଜିମ ଫର ଇକୋନୋମିକ ଗ୍ରୋଥ୍ ଆଣ୍ଡ କଲଚରାଲ ପ୍ରିଜର୍ବେସନ୍’ କାର୍ଯ୍ୟକ୍ରମରେ ଜି-୨୦ ରାଷ୍ଟ୍ରଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଜି କିଷାନ ରେଡ୍ଡି କହିଛନ୍ତି, ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବାପାଇଁ ଫିଲ୍ମ ଟୁରିଜମ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଉଭା ହୋଇଛି। ଜମ୍ମୁ କାଶ୍ମୀରରେ ଫିଲ୍ମ ଟୁରିଜମର ବିକାଶ ପାଇଁ ସରକାର ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ରେଡ୍ଡି କହିଛନ୍ତି। ରେଡ୍ଡି କହିଛନ୍ତି, ଶ୍ରୀନଗର ହେଉଛି ଭାରତର ଅତି ସୁନ୍ଦର ସହର ମଧ୍ୟରୁ ଅନ୍ୟତମ। ଉକ୍ତ କାର୍ଯ୍ୟକ୍ରମରେ ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଫିଲ୍ମ ସୁଟିଂ ପାଇଁ କାଶ୍ମୀର ହେଉଛି ସବୁଠୁ ଚମତ୍କାର ସ୍ଥାନ। କାଶ୍ମୀର ଉପତ୍ୟକା ଏହାର ସ୍ବତନ୍ତ୍ର ଗୁଣ ପାଇଁ ଫିଲ୍ମ ନିର୍ମାତାଙ୍କୁ ଆକର୍ଷିତ କରୁଛି। କାଶ୍ମୀର କେବଳ ଏକ ସ୍ବତନ୍ତ୍ର ସ୍ଥାନ ନୁହେଁ ବରଂ ଏହା ଏକ ସ୍ବତନ୍ତ୍ର ଅନୁଭୂତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କାଶ୍ମୀରରେ ବଡ଼ ପରିବର୍ତ୍ତନ ଆସିଛି। ଯଦି କାଶ୍ମୀରରେ ଏଭଳି କାର୍ଯ୍ୟକ୍ରମ ପୂର୍ବରୁ ହୋଇଥାନ୍ତା ତେବେ ଇସଲାମାବାଦରୁ ଧାରଣା ଏବଂ ହରତାଳ ଡାକରା ଦିଆଯାଇଥାନ୍ତା। ଶ୍ରୀନଗର ସହରରେ ଦୋକାନ ବଜାର ବନ୍ଦ ରହିଥାନ୍ତା। କିନ୍ତୁ ଏବେ କୌଣସି ହରତାଳ ହେଉନାହିଁ। କାଶ୍ମୀରରେ ଏଭଳି ଏକ ବିରାଟ ପରିବର୍ତ୍ତନ ହୋଇଛି। ସାଧାରଣ ଲୋକମାନେ ବିନା ଭୟରେ ରାସ୍ତାରେ ଚାଲି ପାରୁଛନ୍ତି।