ନୂଆଦିଲ୍ଲୀ: ଶନିବାରଠାରୁ ନୂଆଦିଲ୍ଲୀରେ ବହୁ ପ୍ରତୀକ୍ଷିତ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବ। ଏଥିପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ମୁଖ୍ୟମାନେ ଭାରତ ପହଞ୍ଚିଛନ୍ତି। ଏଭଳି ସ୍ଥିତିରେ ଆଜି ଜି-୨୦ ସେର୍ପା ଅମିତାଭ କାନ୍ତ ନୂଆଦିଲ୍ଲୀ ଘୋଷଣାନାମା ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୂଆଦିଲ୍ଲୀ ଘୋଷଣାନାମାରେ ଗରିବ ଏବଂ ବିକାଶଶୀଳ ଦେଶଙ୍କ ସ୍ବର ସ୍ଥାନ ପାଇବ। ବିଶ୍ବରେ କୌଣସି ଦସ୍ତାବିଜ୍ରେ ଅନୁନ୍ନତ ଏବଂ ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏଭଳି ଦୃଢ଼ ସ୍ବର ନଥିବ ବୋଲି ସେ କହିଛନ୍ତି। ‘ନୂଆଦିଲ୍ଲୀ ନେତୃବୃନ୍ଦଙ୍କ ଘୋଷଣାନାମା ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି। ମୁଁ ଏହା ଉପରେ କହିବାକୁ ଚାହେନାହିଁ। ତେବେ ଏହି ଘୋଷଣାନାମା ନେତୃବୃନ୍ଦଙ୍କୁ ସୁପାରିସ କରାଯିବ ଏବଂ ନେତୃବୃନ୍ଦ ତାହାକୁ ଗ୍ରହଣ କରିବେ। ତାହା ପରେ ଆମେ ଘୋଷଣାନାମାର ବାସ୍ତବ ସଫଳତା ସଂପର୍କରେ କହିପାରିବୁ’ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଗତବର୍ଷ ଭାରତ ଯେତେବେଳେ ବାଲିଠାରେ ଜି-୨୦ ସଭାପତିତ୍ବ ଗ୍ରହଣ କରିଥିଲା ସେତେବେଳେ ବିଶ୍ବରେ ଆର୍ଥିକ ଅଭିବୃଦ୍ଧି ଏବଂ ଉତ୍ପାଦକତା ମନ୍ଥର ଥିଲା। ସେହି ସମୟରେ ଭାରତ ଅନୁଭବ କରିଥିଲା ଯେ ‘ବସୁଧୈବ କୁଟୁମ୍ବକମ’ ବା ସମଗ୍ର ବିଶ୍ବ ଗୋଟିଏ ପରିବାରକୁ ମୁଖ୍ୟ ବିଷୟବସ୍ତୁ କରି ଭାରତ ଜି-୨୦ର କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଛନ୍ତି ଯେ ଭାରତର ସଭାପତିତ୍ବ ସମାବେଶୀ, ନିର୍ଣ୍ଣାୟକ, ମହତ୍ବାକାଂକ୍ଷୀ ଏବଂ କ୍ରିୟା ଅଭିମୁଖୀ ହେବା ଉଚିତ। ତେଣୁ ଏ କ୍ଷେତ୍ରରେ ଆମେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁରୂପ ଦସ୍ତାବିଜ୍ ପ୍ରସ୍ତୁତ କରିଛୁ ବୋଲି ଅମିତାଭ କହିଛନ୍ତି। ନିରବଚ୍ଛିନ୍ନ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା ଉପରେ ଭାରତ ଏହାର ଜି-୨୦ ସଭାପତିତ୍ବରେ ଗୁରୁତ୍ବ ଦେଇଛି। ୧୬୯ଟି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଗୁଡ଼ିକ ମଧ୍ୟରୁ କେବଳ ୧୨ଟିର ଅଗ୍ରଗତି ଠିକ୍ ରହିଛି। ତେଣୁ ଏ କ୍ଷେତ୍ରରେ ଧାର୍ଯ୍ୟ ସମୟ ତୁଳନାରେ ଆମେ ବହୁ ପଛରେ ରହିଛେ। ପଛରେ ପଡ଼ିଥିବା କ୍ଷେତ୍ରଗୁଡ଼ିକରେ ଅଗ୍ରଗତି ଆଣିବା ଭାରତର ସଭାପତିତ୍ବ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଅମିତାଭ କହିଛନ୍ତି।
ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବିପୁଳ ଅର୍ଥ ଆବଶ୍ୟକ। ସେ ଦୃଷ୍ଟିରୁ ସବୁଜ ବିକାଶର ନେତୃତ୍ବ ସାରା ବିଶ୍ବ ଗ୍ରହଣ କରୁ। ଉଭୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା କାର୍ଯ୍ୟ ଲାଗି ବିଶ୍ବ, ବିଶେଷକରି ଅନୁନ୍ନତ ଅଞ୍ଚଳର ଉଦୀୟମାନ ଅର୍ଥନୀତି ଏବଂ ବିକାଶଶୀଳ ଦେଶଗୁଡ଼ିକ ବିପୁଳ ଅର୍ଥ ଆବଶ୍ୟକ କରନ୍ତି। ସେ ଦୃଷ୍ଟିରୁ ଏକବିଂଶ ଶତାବ୍ଦୀର ବହୁପାକ୍ଷିକ ସଂସ୍ଥାଗୁଡ଼ିକ ଉପରେ ଆମକୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜି-୨୦ ସମ୍ମିଳନୀରେ ୩୦ରୁ ଅଧିକ ଦେଶର ମୁଖ୍ୟ, ୟୁରୋପୀୟ ସଂଘର ବରିଷ୍ଠ ଅଧିକାରୀ, ଆମନ୍ତ୍ରିତ ଅତିଥି ଏବଂ ୧୪ଟି ଅନ୍ତର୍ଜାତୀୟ ସଂସ୍ଥା ମୁଖ୍ୟମାନେ ଯୋଗଦେବେ।