ନୂଆଦିଲ୍ଲୀ: ଦୁନିଆର ପ୍ରଗତି ପାଇଁ ଭାରତର ପ୍ରଗତି ଏବଂ ଭାରତର ଯୁବକମାନଙ୍କ ପ୍ରଗତି ଆବଶ୍ୟକ ବୋଲି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଜି-୨୦ ବିଶ୍ୱବିଦ୍ୟାଳୟ ଯୋଗାଯୋଗ ସମାପନ ସମାରୋହରେ ଯୁବଶକ୍ତି ସହ ଆଲୋଚନା କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଯେଉଁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବ ଛାତ୍ରଛାତ୍ରୀମାନେ ଦାୟିତ୍ୱ ନିଅନ୍ତି, ତାହା ସଫଳ ହିଁ ହୋଇଥାଏ। ପ୍ରଧାନମନ୍ତ୍ରୀ ଭାରତରେ ଅନୁଷ୍ଠିତ ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଦେଶର ଯୁବଶକ୍ତିକୁ ଶ୍ରେୟ ଦେବା ସହ କହିଛନ୍ତି ଯେ ଯେଉଁଠାରେ ଆଶା, ସୁଯୋଗ ଏବଂ ମୁକ୍ତ ଚିନ୍ତାଧାରା ଅଛି ସେଠାରେ ଯୁବଗୋଷ୍ଠୀ ପ୍ରଗତି କରନ୍ତି। ଯେଉଁଭଳି ଉପାୟରେ ଭାରତ ଆଗକୁ ବଢୁଛି, ସେଥିରେ ଯୁବବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ସେମାନେ ନିଜକୁ ବଡ ଭାବନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଜି-୨୦ ପ୍ରେସିଡେନ୍ସିକୁ ସଫଳତାର ସହ ସମାପନ କରିଛି। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା, ମହାମାରୀର ପରବର୍ତ୍ତୀ ଅବସ୍ଥା, ଊର୍ଜା ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଭୂରାଜନୈତିକ ସମସ୍ୟା ଭଳି ଅନେକ ପ୍ରତିକୂଳ ପରିସ୍ଥିତିରେ ଏହି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ଆମର କୂଟନୀତି ଓ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଓ ବୈଶ୍ୱିକ ନେତୃତ୍ୱର ଛବି ଯୋଗୁଁ ବିଶ୍ୱ କଲ୍ୟାଣ ପାଇଁ ଏହି ସମ୍ମିଳନୀ ସଫଳ ହୋଇପାରିଛି। ଜି-୨୦ର ବିଷୟବସ୍ତୁ ବସୁଧୈବ କୁଟୁମ୍ବକମ୍ର ବିଚାରକୁ ଆଗକୁ ନେଇ ଗ୍ଲୋବାଲ୍ ସାଉଥର ସ୍ୱରକୁ ଉପସ୍ଥାପିତ କରିବା ସହ ଆଫ୍ରିକୀୟ ଦେଶସମୂହକୁ ଜି-୨୦ର ସଦସ୍ୟ ଭାବରେ ଗ୍ରହଣ କରାଯିବା ଆଉ ଏକ ବଡ ସଫଳତା। ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜି-୨୦ ବୈଠକରେ ଶିକ୍ଷାକୁ ଏକ ଗ୍ଲୋବାଲ୍ ଏଜେଣ୍ଡା ଭାବରେ ଉପସ୍ଥାପନା କରାଗଲା। ବିଶ୍ୱ ଆଜି ଭାରତର ଶିକ୍ଷା ଓ ଦକ୍ଷତା ବିକାଶ ପରିସଂସ୍ଥାନକୁ ଚିହ୍ନଟ କରିବା ସହ ଅନୁସରଣ କରୁଛି। ଏହା ଜାତୀୟ ଶିକ୍ଷା ନୀତି ପାଇଁ ଏକ ବହୁତ ବଡ ଉପଲବ୍ଧି। ନାରୀ ଶକ୍ତି ବନ୍ଦନ ବିଧେୟକକୁ ଉଭୟ ଗୃହରେ ପାରିତ କରାଇ ମୋଦିଜୀ ଜଣେ ବଳିଷ୍ଠ କର୍ମଯୋଗୀର ପରିଚୟ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଯୁବଶକ୍ତିକୁ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଜନଭାଗୀଦାରିର ନେତୃତ୍ୱ ନେବା ସହିତ ଜି-୨୦କୁ ଏକ ଜନଆନ୍ଦୋଳନରେ ପରିଣତ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।