ନୂଆଦିଲ୍ଲୀ: ବିଶ୍ବରେ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ପରମାଣୁ ଅସ୍ତ୍ରର ଧମକ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ୟୁକ୍ରେନ ଉପରେ ସାମରିକ ଆକ୍ରମଣ ଚଳାଇଥିବା ରୁଷ୍ର ନାମକୁ ଜି ୨୦ ନୂଆଦିଲ୍ଲୀ ଘୋଷଣାନାମାରେ ସିଧାସଳଖ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ ଜି ୨୦ ସମ୍ମିଳନୀରେ ଏଭଳି ବାର୍ତ୍ତା ଦିଆଯାଇଛି। ଜାତିସଂଘର ସନନ୍ଦ ଅନୁସାରେ, କୌଣସି ଦେଶର ଅଞ୍ଚଳକୁ ଅଧିଗ୍ରହଣ ପାଇଁ ଧମକାଇବା କିମ୍ବା ବଳ ପ୍ରୟୋଗ କରିବାରୁ ସବୁ ଦେଶ ଦୂରେଇ ରହିବା ଉଚିତ ବୋଲି ଘୋଷଣାନାମାରେ କୁହାଯାଇଛି। ୨୦୨୨ରେ ଉଜବେକିସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ ଦେଇଥିବା-ଆଜିର ଯୁଗ ଯୁଦ୍ଧର ଯୁଗ ହେବା ଉଚିତ ନୁହେଁ ବୋଲି ମନ୍ତବ୍ୟ ଜି ୨୦ ଘୋଷଣାନାମାରେ ପ୍ରତିଫଳିତ ହୋଇଛି। ୟୁକ୍ରେନରେ ଯୁଦ୍ଧର ଶବ୍ଦ ବ୍ୟବହାରକୁ ନେଇ ଗ୍ରୁପର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ପରେ ସର୍ବସମ୍ମତିକ୍ରମେ ଜି ୨୦ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ ହୋଇଛି।
ଦେଶଗୁଡ଼ିକର ଅଖଣ୍ଡତା, ସାର୍ବଭୌମତ୍ବକୁ ରକ୍ଷା କରିବା ପାଇଁ ଅନ୍ତର୍ଜାତୀୟ ଆଇନରେ ରହିଥିବା ନୀତିକୁ ସମ୍ମାନ ଦେବାକୁ ସବୁ ଦେଶକୁ ଘୋଷଣାନାମାରେ କୁହାଯାଇଛି। ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଜି ୨୦ ଏକ ପ୍ରମୁଖ ମଞ୍ଚ। ଭୌଗୋଳିକ ରାଜନୈତିକ ଏବଂ ସୁରକ୍ଷା ସମସ୍ୟା ସମାଧାନର ମଞ୍ଚ ଏହା ହୋଇ ନଥିଲେ ମଧ୍ୟ ଏସବୁ ପ୍ରସଙ୍ଗର ବିଶ୍ବ ଅର୍ଥନୀତି ଉପରେ ଗଭୀର ପ୍ରଭାବ ରହିଛି।
ୟୁକ୍ରେନରେ ଯୁଦ୍ଧ ଯୋଗୁ ଲୋକମାନେ ପ୍ରଭାବିତ ହୋଇଛନ୍ତି। ବିଶ୍ବରେ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ପ୍ରଭାବିତ ହୋଇଛି। ଯୋଗାଣ ଶୃଙ୍ଖଳ ଓ ସ୍ଥୂଳ ଅର୍ଥନୀତିରେ ସ୍ଥିରତା ବ୍ୟାହତ ହୋଇଛି। ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଏସବୁ ଅନୁନ୍ନତ ଏବଂ ବିକାଶଶୀଳ ଦେଶଗୁଡ଼ିକର ନୀତି ପ୍ରସ୍ତୁତିକୁ ଜଟିଳ କରିଦେଇଛି। କାରଣ ଏସବୁ ଦେଶ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କୋଭିଡ-୧୯ ମହାମାରୀ ପ୍ରଭାବରୁ ମୁକୁଳିନାହାନ୍ତି। ଏଥିସହିତ ୟୁକ୍ରେନ ଓ ରୁଷ୍ର ନିରାପଦରେ ଖାଦ୍ୟ ଓ ସାର ଆଦି ପରିବହନ ପାଇଁ କୃଷ୍ଣ ସାଗର ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣାନାମାରେ କୁହାଯାଇଛି। ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଉଦ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଆମ ଟିମ୍ର କଠିନ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗରେ ନୂଆଦିଲ୍ଲୀ ଜି ୨୦ ନେତୃବୃନ୍ଦଙ୍କ ଘୋଷଣାନାମାକୁ ନେଇ ସହମତି ପ୍ରକାଶ ପାଇଛି।