ଜମ୍ମୁରେ ମେଳି ବାନ୍ଧିଲେ କଂଗ୍ରେସର ଜି-୨୩, ଦଳ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଲେ

ଜମ୍ମୁ :  ଜମ୍ମୁରେ ଏକା‌ଠି ହୋଇଛନ୍ତି କଂଗ୍ରେସ ଦଳର ୨୩ ବରିଷ୍ଠ ନେତା। ଗଣମାଧ୍ୟମରେ ଜି-୨୩ ଭାବେ ପରିଚିତ ଏହି ନେତା ଦଳର ପୁନରୁତ୍ଥାନ ଲାଗି ମାନସ ମନ୍ଥନ କରିଛନ୍ତି।  ଗ୍ରୁପ-୨୩ ବୋଲି କୌଣସି ସଂଗଠନ ନାହିଁ । ଏହା ଗଣମାଧ୍ୟମର ସୃଷ୍ଟି । ଆମେ କୌଣସି ନେତୃତ୍ବ ବିରୁଦ୍ଧରେ ନାହୁଁ । ଆମେ ସମସ୍ତେ କଂଗ୍ରେସକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ।

ଏଠାରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି, କେତେକ ଲୋକ ଦେଶରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ଦେଶ ଗଢିବାକୁ ଚାହୁଁଛୁ । ଏହି ଅବସରରେ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଥିଲେ ଯେ କଂଗ୍ରେସ ଦୁର୍ବଳ ହୋଇଯାଇଛି । ଯୁବପିଢିଙ୍କୁ କଂଗ୍ରେସ ସହ ଯୋଡ଼ିବାକୁ ହେବ । ଅନ୍ୟପକ୍ଷରେ କଂଗ୍ରେସ ନେତା କପିଲ ସିବ୍ବଲ ଦଳର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ ।

ଜମ୍ମୁରେ ଆୟୋଜିତ ହୋଇଥିବା ଶାନ୍ତି ସମ୍ମିଳନୀରେ  ମନିଷ ତିୱାରୀ, ଭୁପିନ୍ଦର ସିଂ ହୁଡ୍ଡା,  ରାଜ ବବରଙ୍କ ସମେତ ୨୩ ଜଣ ଜଣାଶୁଣା କଂଗ୍ରେସ ନେତା ସାମିଲ ହୋଇଥିଲେ । ଏହି ୨୩ଜଣ କଂଗ୍ରେସ ନେତା ଗେରୁଆ ରଙ୍ଗର ପଗଡି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଗତ ବର୍ଷ ଅଗଷ୍ଟ ୨୩ରେ ଏହି ୨୩ ନେତା ଦଳରେ ବଡ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ।

ମୋଦୀ ସରକାରଙ୍କୁ ଟାର୍ଗେଟ୍

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ସମାଲୋଚନା କରି ଆଜାଦ କହିଛନ୍ତି ଯେ ମୋଦୀ ସରକାର ଜମ୍ମୁ ଓ କଶ୍ମୀରର ରାଜ୍ୟ ମାନ୍ୟତା ହଟାଇ ଏଠାକାର ଲୋକମାନଙ୍କ  ପରିଚୟ ଚୋରାଇ ନେଇଛନ୍ତି । ପୁଣି ରାଜ୍ୟମାନ୍ୟତା ଫେରିପାଇବାକୁ ଲଢେଇ ଜାରି ରହିବ ।

ସମ୍ବନ୍ଧିତ ଖବର