ତାଲିବାନକୁ ଜି-୭ ରାଷ୍ଟ୍ରଙ୍କ ପରାମର୍ଶ: ସରକାରରେ ସବୁ ବର୍ଗର ପ୍ରତିନିଧିତ୍ବ ରହୁ

ନୂଆଦିଲ୍ଲୀ: ଜି-୭ ରାଷ୍ଟ୍ରଗୁଡ଼ିକର ନେତାମାନେ ମଙ୍ଗଳବାର ଆଫଗାନିସ୍ତାନ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ଏକ ଭର୍ଚୁଆଲ୍‌ ବୈଠକ କରିଥିଲେ। ଏହି ଅବସରରେ ସେମାନେ ଏକ ମିଳିତ ବିବୃତି ଜାରି କରିଛନ୍ତି, ଯେଉଁଥିରେ ଆଫଗାନିସ୍ତାନରେ ସବୁ ପକ୍ଷଙ୍କୁ ନେଇ ମହିଳା ଓ ସଂଖ୍ୟାଲଘୁମାନଙ୍କ ସାର୍ଥକ ଅଂଶଗ୍ରହଣ ସହ ଏକ ପ୍ରତିନିଧିମୂଳକ ସରକାର ଗଠନ କରିବା ଲାଗି ନିବେଦନ କରାଯାଇଛି।

ଏହି ବୈଠକରେ ରାଷ୍ଟ୍ରମୁଖ୍ୟମାନେ ଆତଙ୍କବାଦ ବିରୋଧରେ ମିଳିତଭାବେ ଦୃଢ଼ତାର ସହ ଲଢ଼ିବା ପାଇଁ ମଧ୍ୟ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ ଏବଂ କହିଥିଲେ ଆଫଗାନିସ୍ତାନ ଆଉ କେବେ ବି ଆତଙ୍କବାଦର ସ୍ବର୍ଗ (ନିରାପଦ ଆଶ୍ରୟସ୍ଥଳ) ହେବା ଉଚିତ ନୁହେଁ। ସେମାନେ ପୁଣି କହିଥିଲେ ଯେ ଆଫଗାନିସ୍ତାନର ଆଗାମୀ ସରକାର ଆତଙ୍କବାଦକୁ ପ୍ରଶ୍ରୟ ନ ଦେବା, ଆତଙ୍କବାଦ ବିରୋଧରେ ଜନସାଧାରଣଙ୍କୁ ସୁରକ୍ଷା ଦେବା ଏବଂ ସମସ୍ତ ଦେଶବାସୀ, ବିଶେଷତଃ ମହିଳା, ଶିଶୁ ତଥା ସାଂସ୍କୃତିକ ଓ ଧାର୍ମିକ ସଂଖ୍ୟାଲଘୁଙ୍କ ମାନବାଧିକାରକୁ ସୁରକ୍ଷା ଦେବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିବା ଦରକାର। ଭବିଷ୍ୟତର ସମସ୍ତ ଆଫଗାନ ସରକାର ଆଫଗାନିସ୍ତାନ ପାଉଥିବା ଅନ୍ତର୍ଜାତୀୟ ଅବଦାନକୁ ମାନିବା ସହ ଆତଙ୍କବାଦ ବିରୋଧରେ ଜନତାଙ୍କୁ ସୁରକ୍ଷା ଦେବା, ଦେଶବାସୀଙ୍କ ମାନବାଧିକାରକୁ ସୁରକ୍ଷା ଦେବା, ଆଇନର ଶାସନକୁ ଅନୁସରଣ କରିବା, ଅବାଧ ଓ ନିଃସର୍ତ୍ତ ମାନବିକ ପ୍ରବେଶକୁ ଅନୁମତି ଦେବା ଏବଂ ମାନବ ଓ ନିଶାଦ୍ରବ୍ୟର ଚାଲାଣକୁ ରୋକିବା ଲାଗି ଜି-୭ ନେତାମାନେ ଉକ୍ତ ମିଳିତ ବିବୃତିରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର